ଭୁବନେଶ୍ୱର: ନୋ ଲିମିଟ ବାର ଚଢ଼ାଉ ପରେ ଏବେ ରାଜଧାନୀର ପ୍ରତ୍ୟେକଟି ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରହିଛି । ଶନିବାର ରାତି ଅଧରେ ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗର ୭ ଜଣିଆ ଟିମ୍ ଚଢାଉ କରିଥିଲା । ପ୍ରାୟ ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ କରିଛି। ଦିନରେ କମିଶନରେଟ୍ ପୋଲିସ ଓ ଅଗ୍ନିଶମ ବାହିନୀର ଚଢାଉ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଅବକାରୀ ବିଭାଗ ଚଢାଉ କରୁଛି । ଭୁବନେଶ୍ବରରେ ଥିବା ସମସ୍ତ ବାର୍ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ଦିଆ ଯାଇଥିବା ଗାଇଡ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇଛି । ଚଢ଼ାଉ ସମୟରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। ଅବକାରୀ ଅଫିସର୍ ୟୁନିଫର୍ମରେ ଥିବା ସତ୍ତ୍ବେ ତାଙ୍କ ଉପରେ ହମଲା କରିଥିଲେ କିଛି ଲୋକେ। ଭୁବନେଶ୍ବର ଚନ୍ଦ୍ରଶେଖର ଥାନା ଅଞ୍ଚଳର ଏକ ବାର୍ ରେ ରେଡ୍ କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଖାଲି ସେତିକି ନୁହେଁ ବାର୍ ରେ ରେଡ୍ କୁ ବି ଏମାନେ ବିରୋଧ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ ପରେ ଦୁଇ ଜଣଙ୍କୁ ପୋଲିସ୍ ଅଟକ ରଖିଛି।
ରାଜଧାନୀର ବିଭିନ୍ନ ବାର୍ ରେ ଚଢାଉ ବେଳେ ଅଫିସର୍ ଙ୍କୁ ହମଲା
