କେନ୍ଦୁଝର ଅତିଥି ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ରେମୁଣା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ପ୍ରିୟଙ୍କା ଦାଶ(୨୯)। ସେ ୨ ବର୍ଷ ହେଲା ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ପ୍ରିୟଙ୍କାଙ୍କ ଦାଦା ହେମେନ୍ଦ୍ର ପ୍ରସାଦ ଦାଶ ଓ ଖୁଡ଼ୀ ପଦ୍ମଜା ଦାଶ ଝିଆରୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କେନ୍ଦୁଝର ପୁରୁଣା ସହରର ରୁଦ୍ର ମିଶ୍ର।
ସୂଚନାଥାଉ ଯେ, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ । ପୁରୁଷ ବନ୍ଧୁ ଜଣଙ୍କ ଅଧ୍ୟାପିକାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ତାଙ୍କର ମୃତ୍ୟୁ ହୋଇଥିବା ଖବର ଦେଇଥିଲେ । ଏମିତିକି ଅଧ୍ୟାପିକାଙ୍କ ମୃତଦେହକୁ ପୋଷ୍ଟମର୍ଟମ ରୁମ୍‌ ନିକଟରେ ଛାଡ଼ି ଦେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ମୃତ ଅଧ୍ୟାପିକାଙ୍କ ବେକରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଛାନଭିନ୍‌ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *