ଓଡିଶା ପଛୁଆ ବର୍ଗ ଆୟୋଗ ପୁନର୍ଗଠନ ପାଇଁ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ଗତ ୩ ଜାନୁଆରୀ ୨୦୨୪ରେ ଶେଷ ହୋଇସାରିଛି । ନୂତନ ସଦସ୍ୟ ନିଯୁକ୍ତ ହୋଇନଥିବାରୁ ଏହା ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ଓଡ଼ିଶା ରାଜ୍ୟର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ ୨୧୬ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି । ଆୟୋଗ କାର୍ଯ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାରୁ ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ୱିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି । ନୂତନ ଜାତିକୁ ଏସ୍ଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସ୍ସିବିସିଙ୍କ ମୁଖ୍ୟ ଭୂମିକା ରହିଛି । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ସଂଶୋଧନ) ଅଧିନିୟମ, ୨୦୨୦ ଅନୁଯାୟୀ, ଏହି କମିଶନଙ୍କୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଉପରେ ସର୍ଭେ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେଣୁ ରାଜ୍ୟରେ ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ପଛୁଆ ବର୍ଗଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କମିଶନର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ । ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *