୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୫୦ଟି ନୂଆ ୧୦୮ ଆମ୍ୱୁଲାନ୍ସର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଆମ୍ବୁଲାନ୍ସ ଗୁଡ଼ିକକୁ ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକର୍ପଣ କରାଯାଇଛି । ପର୍ଯ୍ୟାୟ କ୍ରମେ ଜାନୁୟାରୀ ଶେଷ ସୁଦ୍ଧା ସମସ୍ତ ୪୨୮ଟି ଆମ୍ବୁଲାନ୍ସ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ । ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ଏୟାରସ୍ଟ୍ରିପ୍‌ରେ ବ୍ୟବହାର ପାଇଁ ୫ ଟି ଏଏଲ୍ଏସ୍ ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ୍ ପାଇଁ ୨ ଟି ଏଏଲ୍ଏସ୍ ଆମ୍ବୁଲାନ୍ସ ବ୍ୟବହାର କରାଯିବ । ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ରହିଛି । ସେହିପରି ୧୧୯ଟି ପୁରୁଣା ଇଏମଏସ୍ ଆମ୍ବୁଲାନ୍ସର ନବକଳେବର ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାରେ ସମୁଦାୟ ୮୬୬ଟି ଯାନବାହାନ ସ୍ୱାସ୍ଥ୍ୟ ସେବାରେ ଉପଲବ୍ଧ ଅଛି । ଏଥିମଧ୍ୟରୁ ୪୪୯ଟି ମୌଳିକ ଜୀବନ ସହାୟତା, ୪୧୧ଟି ଉନ୍ନତ ଜୀବନ ସହାୟତା ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ଅନ୍ତର୍ଭୁକ୍ତ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କୁ ଏସୁବିଧା ପହଁଚାଇବାକୁ ସରକାର ଯତ୍ନବାନ ଅଛନ୍ତି । ଗର୍ଭବତୀ ମା ଏବଂ ଶିଶୁଙ୍କ ପରିବହନ ପାଇଁ ଜନନୀ ଏକ୍ସପ୍ରେସ ରହିଛି । ଏହି ଲୋକାର୍ପଣ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗୀୟ କମିଶନର ତଥା ସଚିବ ଅଶ୍ୱତୀ ଏସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା, ଓଡ଼ିଶା ଡଃ. ବୃନ୍ଦା ଡି ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *