ଏମ୍‌ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର

ଭୁବନେଶ୍ୱର: ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ। ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ। ଏପରି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHI) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ। ଏବେ ଖଣ୍ଡଗିରି ଛକରୁ ଏମ୍‌ସ ଯାଏ କିଛି ସ୍ଥାନରେ ରାସ୍ତା ତିନିଲେନ୍ ବିଶିଷ୍ଟ ରହିଛି । ଆଉ କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇ ଦୁଇ-ଲେନ୍ ଅଛି । ଏଇ ପୂରା ରାସ୍ତାକୁ ତିନି-ଲେନ୍‌ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ କିଛି ସୁରକ୍ଷାକର୍ମୀ ବି ନିୟୋଜିତ ରହିବେ କିଛି ସ୍ଥାନରେ ସିସିଟିଭି କ୍ୟାମେରା ବି ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ। ବୁଧବାର ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍‌ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶେଷକରି ଏହି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ଭିତରେ ଥିବା ସ୍ୱେରେଜ୍ ବ୍ୟବସ୍ଥା, ଭିତର ଓ ଚାରିପାଖର ରାସ୍ତାର ପୁନଃନିର୍ମାଣ, ଆଲୋକୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏମ୍‌ସକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ସୁବିଧା ଗମନାଗମନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ଓ ଅପରାଧ ରୋକିବା ପାଇଁ ସିସିଟିଭି ଲଗାଇବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *