ଓଡ଼ିଶାର SEBC ତାଲିକାରେ ଥିବା ୧୪ଟି ଜାତିକୁ OBC କରାଯାଉ:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ (NCBC) ଅଧ୍ୟକ୍ଷ ହଂସରାଜ ଅହିରଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ ତେଲି ଏବଂ ରାଜଶ୍ରୀବଳାସୀ/ବଳାସୀ ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ପାଇଁ ସେ ଚିଠି କରିଛନ୍ତି। ଓଡିଶା ରାଜ୍ୟର ଏସଇବିସି ତାଲିକାରେ ଥିବା ଅନେକ ସମ୍ପ୍ରଦାୟ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ। ଯେଉଁଥିପାଇଁ ଲୋକମାନେ କେନ୍ଦ୍ର ସରକାରୀ ଚାକିରି, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଏବଂ ବୈଷୟିକ/ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନରେ ପ୍ରବେଶ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣ ଲାଭରୁ ବଞ୍ଚିତ ହେଉଥିବା ନେଇ ଚିଠିରେ ଲେଖିଛନ୍ତି। ତେଣୁ ଏହି ସମ୍ପ୍ରଦାୟଗୁଡ଼ିକୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ର କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।କେନ୍ଦ୍ରୀୟ ଓବିସି ତାଲିକାରେ ଏହି ବର୍ଗର ଜାତିଙ୍କୁ ସାମିଲ କରାଗଲେ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଘଟିବ । ଓଡ଼ିଶାର ଏହି ବୃହତ୍ ସମାଜକୁ ସେମାନଙ୍କର ଅଧିକାର ଦେବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *