ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ଖବର ମିଳିଛି । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୋଲିସ ପଚରା ଉଚରା କରିବା ପାଇଁ ଡାକି ନେଇଥିଲା । ସେହିପରି ପୂର୍ବତନ ମେୟରଙ୍କ ସହଯୋଗୀ କୁହାଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ପୋଲିସ ଉଠାଇନେଇଛି । ଏଵେ ପୋଲିସ ହେପାଜତରେ ୪ ପଲଟିକାଲ ଲିଡର ।
ସେପଟେ ହତ୍ୟାକାରୀ ତଥା ସାର୍ପ ସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇନେଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ପାଇଛି ପୋଲିସ । ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଫେରାର ହେବା ସହ ପୁରୀ ବେଳାଭୂମିର ବାଲିରେ ପୋତି ଦେଇଥିଲା ବନ୍ଧୁକ । ପୋଲିସ ହାତରେ ବନ୍ଧୁକ ଲାଗିବା ପରେ ପୁରୀରେ ହତ୍ୟାକାରୀର ଅନ୍ୟତମ ସହଯୋଗୀ ରହିଥିବା ପୋଲିସ ଅନୁମାନ କରୁଛି । ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଧରାପଡ଼ି ନଥିବା ସୂଚନା ମିଳିଛି। ବିକ୍ରମ ପଣ୍ଡାଙ୍କୁ ନେଇଥିବା ପ୍ରତିବାଦରେ ତାଙ୍କ ଘରେ ଏକାଠି ହୋଇଥିଲେ ବହୁ କର୍ପୋରେଟର, ବହୁ ଓକିଲ, ବିଜେଡି କର୍ମୀ, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଗଞ୍ଜାମ ଓକିଲ ସଙ୍ଘ ସଭାପତି ମନୋଜ ପଟ୍ଟନାୟକ । ବ୍ରହ୍ମପୁର ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ୧୬ ଦିନ ବିତିଲାଣି। ବିଭିନ୍ନ ଦିଗରୁ ତଦନ୍ତ କରି ପୋଲିସ ପ୍ରାୟ ଶହେରୁ ଅଧିକଙ୍କୁ ପଚରାଉଚରା କରିଛି। ୧୦ଜଣଙ୍କୁ ଅଟକ ରଖି ଜେରା ବେଳେ ମିଳିଛି ବଡ଼ ସୁରାକ।
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା;ବିକ୍ରମ ପଣ୍ଡାଙ୍କୁ ଅଜ୍ଞାତ ସ୍ଥାନରେ ଜେରା
