ଭୁବନେଶ୍ୱର: ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି । ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ସେହି ଯାନ ଗୁଡିକୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁର ଗୁଣାବତ୍ତା ମାନକୁ ଉନ୍ନତ ରଖା ଯାଇପାରିବ ଏବଂ ପ୍ରଦୂଷଣକୁ କମ କରାଯାଇପାରିବ ବୋଲି ଆଶା କରାଯାଇଛି l ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟ୍ ରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି ଯେ, ସର୍ବଦା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖନ୍ତୁ । ପ୍ରଦୂଷଣ ସୃଷ୍ଟି କରୁଥିବା ଯାନକୁ ବ୍ୟବହାର କରନ୍ତୁ ନାହିଁ। ପରିବେଶ ସୁରକ୍ଷାରେ ସହଭାଗୀ ହୁଅନ୍ତୁ।
PUC ନଥିଲେ ମିଳିବନି ତେଲ: ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ
