ବିନା ପରମିଟ୍‌ରେ ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ୍

ଭୁବନେଶ୍ୱର: ସରକାରଙ୍କୁ ରାଜ୍ୟ ବସ୍ କଥା କହି ଭୁଆଁ ବୁଲାଉଥିଲେ କଲିକତା ବସ୍ । ନା ଥିଲା ପରମିଟ, ନା ଦେଉଥିଲେ ଟିକସ। ଆଉ ଏଭଳି କିଛି ବସ୍ କୁ ଜବତ କରି ଫାଇନ ପକେଇଛି ପରିବହନ ବିଭାଗ। ଟିକସ ଫାଙ୍କି ଓ ପରମିଟ୍ ନିୟମ ଉଲ୍ଲଙ୍ଘନ ବିରୋଧରେ STA, Odisha ଓ RTO ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ଏହି ବସ୍ ଗୁଡିକ ବାବଦରେ କୌଣସି ତଥ୍ୟ ନଥିଲା। ମନଇଚ୍ଛା ଆସୁଥିଲେ, ମନଇଚ୍ଛା ଲୋକ ନେଇ ଯାଉଥିଲେ। ଏହି ଭଳି ଭୁବନେଶ୍ୱରରେ ୩ଟି ବାହାର ରାଜ୍ୟର ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିୟମ ଉଲ୍ଲଙ୍ଘନ କରିଥିବା ବସ୍ ଗୁଡ଼ିକର ପଞ୍ଜିକରଣ ନମ୍ବର WB41J9077, WB73G4486, WB76A9338। ଅନ୍ୟପଟେ ଆଜି ପୁରୀ ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ହଠାତ ଚଢ଼ାଉ କରିବା ପରେ ଅସାଧୁ ବସ୍ ମାଲିକମାନଙ୍କ ଏହି କଳା କାରନାମାର ପର୍ଦ୍ଦାଫାଶ ହୋଇଛି। ପରିବହନ ବିଭାଗ ପକ୍ଷରୁ ଆଜି ପଶ୍ଚିମବଙ୍ଗର ୪ଟି ବସ୍ ଉପରେ ୧୫ ଲକ୍ଷ ଟଙ୍କାର ଫାଇନ ପଡିଛି । ଟିକସ ଫାଙ୍କି ଓ ପରମିଟ୍ ଅନିୟମିତତା ଅଭିଯୋଗରେ ପରିବହନ ବିଭାଗ ଏହି ବସ୍ ଗୁଡିକୁ ଜବତ କରି ଫାଇନ କରିଛି। ପରିବହନ ବିଭାଗର ସୂଚନା ମୁତାବକ ପୁରୀରୁ କୋଲକାତା ଯାଉଥିବା ଶ୍ୟାମଳୀ ପରିବହନ, ଏକ୍ସପ୍ରେସ ଲାଇନ ସହ କାଲାସୋନା ନାମକ ବସ୍ ଗୁଡିକ ସରକାରଙ୍କୁ ଠକୁଥିଲେ। ଏହି ବସ୍ ଗୁଡିକ ମନ ଇଚ୍ଛା ଲୋକ ଉଠାଇବା ସହ ମନଇଚ୍ଛା ଭଡା ବି ନେଉଥିଲେ। ବେଳେବେଳେ ଭଡା କମାଇଦେଉଛନ୍ତି, ଅନ୍ୟବେଳେ ଯେପରିକି ରଥଯାତ୍ରା-ଦଶହରା ସମୟରେ ଭଡା ୩ ହଜାର ଯାଏଁ ପହଁଚିଯାଉଛି। ତେଣୁ ଏସବୁ ନିୟମ ଭାଙ୍ଗୁଥିବାରୁ ବସ୍ ଗୁଡିକୁ ସିଜ କରାଯାଇଛି।

Leave a Reply

Your email address will not be published. Required fields are marked *