ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁକେ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ, ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆନୁଷ୍ଠାନିକ ଭାବେ ‘ଲେଟର ଅଫ୍ ଆପ୍ରୁଭାଲ୍’ ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିର ଦୂରଦୃଷ୍ଟିକୁ ସାକାର କରି ଭାରତ ଆଜି ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରୁଛି । ଏହି ବିଶ୍ୱସ୍ତରୀୟ ସହଭାଗିତା ଆମର ଆଗାମୀ ପିଢ଼ିର ଗବେଷକ, ଶିକ୍ଷାବିତ୍ ଏବଂ ନବସୃଜନକାରୀ ମାନଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେବ। ଏହି ୩ଟି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିହେବା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ କରିପାରିବେ। ଏହି ଅନୁଷ୍ଠାନଗୁଡ଼ିକ ନିଜର ବୈଜ୍ଞାନିକ ଅନୁସନ୍ଧାନ, ଆନ୍ତଃ-ଶୃଙ୍ଖଳିତ ଶିକ୍ଷା ଏବଂ ଏକାଡେମିକ ଦକ୍ଷତା ମାଧ୍ୟମରେ ଭାରତର ଶିକ୍ଷା ଓ ଶିଳ୍ପ ଜଗତ ସହ ମିଶି ଦୃଢ଼ ସହଯୋଗ ସ୍ଥାପନ କରିବେ।ଏହି ପଦକ୍ଷେପ ଭାରତକୁ ବିଶ୍ୱର ଏକ ପ୍ରମୁଖ ଜ୍ଞାନ, ଶିକ୍ଷା ଏବଂ ଇନୋଭେସନ ହବ୍ ଭାବରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ।ଶିକ୍ଷା ମନ୍ତ୍ରଣାଳୟ ଏହି ସମସ୍ତ ଗ୍ଲୋବାଲ୍ ପାର୍ଟନରସିପ୍‌କୁ ସ୍ୱାଗତ କରିବା ସହ ଭାରତରେ ଶିକ୍ଷାର ମାନକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରିଟିଶ୍ ହାଇକମିଶନର ଲିଣ୍ଡି କ୍ୟାମେରନ୍, ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ବରିଷ୍ଠ ପଦାଧିକାରୀ, ଅଷ୍ଟ୍ରେଲିଆ ଏବଂ ବ୍ରିଟିଶ ହାଇକମିଶନର ପ୍ରତିନିଧି ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *