୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନରେ ସଂଶୋଧନ

ଭୁବନେଶ୍ୱର: ପ୍ରତିଭା ରାୟ କମିଟିଙ୍କ ସୁପାରିଶ ଓ କ୍ୟାବିନେଟ୍ ଅନୁମୋଦନ ପରେ ବ୍ରିଟିଶ ଅମଳର ବନାନଗତ ତ୍ରୁଟିକୁ ସଂଶୋଧନ କରିବା ନିମନ୍ତେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ବଦଳାଇ ପ୍ରକୃତ ଓଡ଼ିଆ ଉଚ୍ଚାରଣ ଅନୁରୂପ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଯାହାକି ଓଡ଼ିଶା ଗେଜେଟରେ ପ୍ରକାଶ ପାଇବା ଦିନଠୁ ହିଁ ନୂଆ ସଂଶୋଧିତ ବନାନ କାର୍ଯ୍ୟକାରୀ ହେବ ବୋଲି ଉଲ୍ଲେଖ ରହିଛି। ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟର ୨୬ଟି ଜିଲ୍ଲାର ୬୪ଟି ପ୍ରମୁଖ ସ୍ଥାନର ଇଂରାଜୀ ଉଚ୍ଚାରଣରେ ସଂଶୋଧନ ହୋଇଛି। ସରକାରୀସ୍ତରରେ ବ୍ୟବହାର କରାଯାଉଥିବା ଜିଲ୍ଲା, ସବଡିଭିଜନ, ତହସିଲ, ବ୍ଲକ ଓ ସହରାଂଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ପୁରୁଣା ଇଂରାଜୀ ବନାନ ସ୍ଥାନରେ ଏହି ସଂଶୋଧିତ ନୂଆ ବନାନକୁ କାର୍ଯ୍ୟକାରୀ କରାଯିବ। ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଶାର ବିଭିନ୍ନ ପ୍ରମୁଖ ସ୍ଥାନର ପରିବର୍ତ୍ତିତ ନାମ ଏଣିକି ଇଂରାଜୀ ଉଚ୍ଚାରଣରେ ଅନୁଗୋଳ ପରିବର୍ତ୍ତେ ଅନୁଗୁଳ, ଖୋରଧା ନୁହେଁ ଖୋର୍ଦ୍ଧା, ଦେଓଗର ପରିବର୍ତ୍ତେ ଦେବଗଡ଼, କେନ୍ଦ୍ରାପରା ବଦଳରେ କେନ୍ଦ୍ରାପଡ଼ା ଭାବେ ସଠିକ୍ ଓଡ଼ିଆ ଉଚ୍ଚାରଣ ସହ ସମ୍ପୂର୍ଣ୍ଣ ସମାନତା ରକ୍ଷା କରି ଏହି ସମସ୍ତ ଇଂରାଜୀ ବନାନକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ନିର୍ଦ୍ଦେଶନାମାର ନକଲକୁ ରାଜ୍ୟର ସମସ୍ତ ବିଭାଗ, ଆରଡିସି, ଜିଲ୍ଲାପାଳ, ତହସିଲଦାର ଓ ସମସ୍ତ ସରକାରୀ ସଂସ୍ଥାକୁ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି। ଏହାସହିତ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ ଓ ସର୍ଭେୟର ଜେନେରାଲଙ୍କ ଭଳି କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ନିଜ ରେକର୍ଡରେ ଏହି ନୂତନ ବନାନକୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି, ଯେପରି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସ୍ଥାନଗୁଡ଼ିକର ସଠିକ୍ ଓଡ଼ିଆ ଉଚ୍ଚାରଣ ପ୍ରତିଫଳିତ ହୋଇପାରିବ। ରାଜ୍ୟରେ( Odisha) ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ନାମ ସଂଶୋଧନ ପ୍ରକ୍ରିୟା ପାଇଁ ପଦକ୍ଷେପ ନେଇଥିଲେ। ନିଜ ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଆନୁଷ୍ଠାନିକ ଅନୁମୋଦନ ମିଳିଥିଲା।

Leave a Reply

Your email address will not be published. Required fields are marked *