ବାଲି ସୈରାତ ବାତିଲ କ୍ଷମତା ତହସିଲଦାରଙ୍କ ନାହିଁ:ହାଇକୋର୍ଟ

କଟକ: ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ ବାଲି ସୈରାତ ଉତ୍ସ ନିଲାମ ବାତିଲ ଭଳି ନିର୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୨ ଡିସେମ୍ବର ୨୮ରୁ ଓଡ଼ିଶା ମାଇନର ମିନେରାଲ କନ୍‌ସେସନ୍‌ (ଓଏମଏମସି) ରୁଲ୍ସର ସଂଶୋଧନ ଲାଗୁ ହେବା ପରେ ବାଲିଘାଟ ଲିଜ୍‌ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର କ୍ଷମତା ତହସିଲଦାରଙ୍କ ପାଖରେ ରହି ନାହିଁ। ଏହି କ୍ଷମତା ଖଣି ବିଭାଗର ଅଧିକୃତ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଦାଲତ ଯାଜପୁର ଜିଲାର ବ୍ୟାସନଗର ତହସିଲଦାରଙ୍କ ଦ୍ୱାରା ଜଣେ ଲିଜ୍‌ଧାରୀଙ୍କ ବାଲି ଖାଦାନ ଲିଜ୍ ବାତିଲ ଏବଂ ସିକ୍ୟୁରିଟି ଜମା ବାତିଲ କରିବା ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ.ଏସ୍‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।
ଆବେଦନକାରୀ ନୟାହାଟପାଟଣା ବୈତରଣୀ ନଦୀ ବାଲି ଉତ୍ସ ଲିଜ୍‌ ପାଇଥିଲେ। ୨୦୨୩ ଜୁଲାଇ ୧୭ରେ ବ୍ୟାସନଗର ତହସିଲଦାର ଏହି ବାଲି ସୈରାତ ଉତ୍ସ ଲିଜ ବାତିଲ କରିବା ସହିତ ଆବେଦନକାରୀଙ୍କ ସୁରକ୍ଷା ଜମା ବାତିଲ ପାଇଁ ନିର୍ଦେଶ ଦେଇଥିଲେ। ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ ଓ କ୍ଷମତା ପରିସର ବାହାରକୁ ଯାଇ ଏପରି ନିର୍ଦେଶ ପ୍ରଦାନ କରାଯାଇଛି, ଯାହା ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ଶଶିକାନ୍ତ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ୨୦୨୨ ଡିସେମ୍ବର ୨୭ ଓଏମଏମସି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ଅଥରାଇଜ୍‌ଡ ଅଫିସର ବା ଅଧିକୃତ ଅଧିକାରୀଙ୍କ ସଂଜ୍ଞା ବଦଳିଛି। ଏବେ ଏହି କ୍ଷମତା ଖଣି ବିଭାଗର ‘ଡିରେକ୍ଟର ଅଫ୍ ମାଇନ୍ସ ଆଣ୍ଡ ଜିଓଲୋଜି’ ବା ସରକାରଙ୍କ ଦ୍ୱାରା ଲିଖିତ ଭାବେ ନିଯୁକ୍ତ ଅଧିକାରୀଙ୍କ ପାଖରେ ରହିଛି। ଏହି ନିୟମ ୨୦୨୨ ଡିସେମ୍ବର ୨୮ରେ ସରକାରୀ ​‌ଗେଜେଟ୍‌ରେ ପ୍ରକାଶ ପାଇବା ଦିନଠାରୁ ହିଁ ଖଣି ଓ ବାଲି ସୈରାତ ମାମଲାରେ ନିଷ୍ପତ୍ତି ନେବା ପାଇଁ ତହସିଲଦାରଙ୍କ ପୁରୁଣା କ୍ଷମତା ସମାପ୍ତ ହୋଇଯାଇଛି। ଅଦାଲତ କହିଛନ୍ତି ଯେତେବେଳେ ଜଣେ ଅଧିକାରୀଙ୍କ ପାଖରେ ଆଇନଗତ ଭାବେ କୌଣସି କ୍ଷମତା ବା ଜୁରିସଡିକ୍‌ସନ ନ ଥାଏ, ତାଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ସମ୍ପୂର୍ଣ୍ଣ ଅବୈଧ, ତେଣୁ ବ୍ୟାସନଗର ତହସିଲଦାରଙ୍କ ଦ୍ୱାରା ଜାରି ହୋଇଥିବା ୨୦୨୩ ଜୁଲାଇ ୧୭ ଆଦେଶକୁ ଅଦାଲତ ସମ୍ପୂର୍ଣ୍ଣ ରଦ୍ଦ କରିଛନ୍ତି। ତହସିଲଦାରଙ୍କୁ ଆସନ୍ତା ୨ ସପ୍ତାହ ମଧ୍ୟରେ ଏହି ବାଲି ସୈରାତ ସମ୍ପର୍କିତ ସମସ୍ତ ରେକର୍ଡପତ୍ର ମାଇନିଂ (ଖଣି) ବିଭାଗକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *