ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା :ଜୟଦେବ ବିହାର-ନନ୍ଦନକାନନ କରିଡର ପାଇଁ ୫୭୯ କୋଟି

ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆର୍ଥକ ଅଭାବରୁ ଯେପରି କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାରୁ ବଂଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାର ପରିକଳ୍ପନା କରାଯାଇଛି। ବିଶେଷକରି ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ପଛୁଆବର୍ଗର ପରିବାରଗୁଡ଼ିକ ଉପରୁ ଆର୍ଥକ ବୋଝ ହ୍ରାସ କରି ଏହି ଯୋଜନା ନାମଲେଖା ବୃଦ୍ଧି କରିବ। ସ୍କୁଲ୍ ଓ କଲେଜର ଉପସ୍ଥାନରେ ସୁଧାର ଆସିବ, ପାଠପଢ଼ା ଅଧାରୁ ଛାଡ଼ିବା ହାର ହ୍ରାସ ହେବା ସହ ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିନା କୌଣସି ବାଧାରେ ଉଚ୍ଚଶିକ୍ଷା ଜାରି ରଖିବାରେ ସକ୍ଷମ ହେବେ। ଏହି ଯୋଜନାର ଲାଭ କେବଳ ଯୋଗ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପରିଚାଳିତ ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ହିଁ ମିଳିବ। ସେଲ୍ଫ-ଫାଇନାନସିଙ୍ଗ୍ ପାଠ୍ୟକ୍ରମ କିମ୍ବା ଅନୁଷ୍ଠାନ, ବେସରକାରୀ ଅଣଅନୁଦାନପ୍ରାପ୍ତ ଅନୁଷ୍ଠାନ, ପିପିପି ମୋଡର ଅନୁଷ୍ଠାନ ଓ ପାଠ୍ୟକ୍ରମ, ଓ ପ୍ରଫେସନାଲ ଓ ବୈଷୟିକ କାର୍ଯ୍ୟକ୍ରମଗୁଡ଼ିକୁ ଏହି ଯୋଜନାର ପରିସରଭୁକ୍ତ କରାଯାଇ ନାହିଁ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବହୁ ବର୍ଷ ଧରି ଆମର ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ଦିଗରେ ଏହି ଯୋଜନା ଏକ ଫଳପ୍ରଦ ଭୂମିକା ଗ୍ରହଣ କରିବ। ଓଡ଼ିଶାରେ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିଲା। ଏବେ ନବମରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ପ୍ରଥମ ଆର୍ଥକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଓ ୫ବର୍ଷ ଅବଧି ମଧ୍ୟରେ ମୋଟ୍ ୫୪୬୭.୫୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରତିବର୍ଷ ୩୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବା ପାଇଁ ୫୭୯ କୋଟିର ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଜୟଦେବ ବିହାର ଛକରେ ହେବ କେବଲ୍-ଷ୍ଟେଡ୍‌ ସେତୁ । ଜୟଦେବ ବିହାର, ନନ୍ଦନକାନନ, ବାରଙ୍ଗ ଓ କଟକ ମଧ୍ୟରେ ୬ଟି ଫ୍ଲାଏଓଭର ନିର୍ମାଣ କରାଯିବ । ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ ହେବ। ରାଜ୍ୟ କ୍ୟାବିନେଟ୍ ଦିନେଶ ଚନ୍ଦ୍ର ଆର୍‌ ଅଗ୍ରୱାଲ ଇନଫ୍ରାକନ୍ ଫ୍ରାଇଭେଟ୍ ଲିମିଟେଡ୍‌ର ଟେଣ୍ଡରକୁ ଅନୁମୋଦନ କରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ହୋଇଥିବା ଯୋଜନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯କିମି ୫୦୦ ମିଟରର ରାସ୍ତା ୮ ଲେନ୍ ବିଶିଷ୍ଟ ହେବ। ଏହାସହ ସର୍ଭିସ୍ ରୋଡ୍ ରହିବ । ଏଥିରେ ଜୟଦେବ ବିହାର ଛକର ଫ୍ଲାଏଓଭର ଉପରେ ଏନ୍‌ଏଚ୍-୧୬ ଉପରେ ୪ଲେନ୍ କେବଲ୍ ଷ୍ଟେଡ୍ ସେତୁ ନିର୍ମାଣ କରାଯିବ ।

Leave a Reply

Your email address will not be published. Required fields are marked *