ଉଜ୍ଜୈନର ଶାହି ମସଜିଦ ଭଙ୍ଗାକୁ ନେଇ ବିକ୍ଷୋଭ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଉଜ୍ଜୈନ ସହରରେ ଥିବା ଶାହି ମସଜିଦର ଏକ ଅଂଶ ଭଙ୍ଗା ଯିବାକୁ ନେଇ ମୁସଲିମ ସମ୍ପ୍ରଦାୟ ଗୋଷ୍ଠୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀ ପଥର ମାଡ଼ କରିବା ଫଳରେ ଜଣେ ପୋଲିସ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗତକାଲିଠାରୁ ଶାହି ମସଜିଦ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କିନ୍ତୁ ପ୍ରଶାସନର କଟକଣା ଏବଂ ବ୍ୟାପକ ସୁରକ୍ଷା ଏଠାରେ ବିଫଳ ହୋଇଥିବା ଦେଖାଯାଇଛି । ପୋଲିସ ରାସ୍ତା ଉପରେ ସୁରକ୍ଷା ପାଇଁ ମୁତୟନ ହୋଇଥିବାବେଳେ ବିକ୍ଷୋଭକାରୀ ଛାତ ଉପରୁ ପଥର ମାଡ଼ କରିଥିଲେ । ଫଳରେ ଜଣେ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ପୋଲିସ ୧୦ଟି ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି । ଅନ୍ୟ ପକ୍ଷରେ ମସଜିଦ କମିଟିର ଆବେଦନକୁ ଇନ୍ଦୋର ହାଇକୋର୍ଟ ଖାରଜ କରିଛନ୍ତି । ଦ୍ୱିତୀୟ ଥର ପାଇଁ କମିଟିର ଆବେଦନ ଖାରଜ ହୋଇଛି । ହାଇକୋର୍ଟ ପ୍ରଶାସନ ନିଷ୍ପତି ଉପରେ କୌଣସି ରାୟ ଦେବାକୁ ମନା କରିଦେଇଛନ୍ତି । ସୂଚନା ଥାଉ ଯେ, ଉଜ୍ଜୈନରେ ସିଂହସ୍ତ-୨୦୨୮ ଆୟୋଜନ ପାଇଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି । କଣ୍ଠାଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ୧୫ ମିଟର ରାସ୍ତା ଚଉଡ଼ା କରାଯାଉଛି । ଯେଉଁଥିପାଇଁ ବାଟରେ ଆସୁଥିବା ଶାହି ମସଜିଦର କିଛି ଅଂଶକୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ସହରର କାଜି ଏବଂ ପ୍ରଶାସନ ମଧ୍ୟରେ ସମ୍ମତି ହୋଇଥିଲା ।

Leave a Reply

Your email address will not be published. Required fields are marked *