ରାୟଗଡା: ଧର୍ମ ପରିବର୍ତ୍ତନ କରିଥିବାରୁ ଆଦିବାସୀ ବୃଦ୍ଧଙ୍କୁ କାନ୍ଧ ଦେବାକୁ ଆସିଲେନି ଜାତିଭାଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ବ୍ଲକ ଗାଜିଗାଁ ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ) ୪ ରୁ ୫ ବର୍ଷ ତଳେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ସକାଳ ପ୍ରାୟ ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ଆଜି ସ୍ଥାନୀୟ ଶ୍ମଶାନରେ କବର ଦିଆଯାଇଥାନ୍ତା। ହେଲେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀ ବାରଣ କରିଥିଲେ। ପ୍ରାୟ ୨୪ ଘଣ୍ଟା ପାଖାପାଖି ଶବ ପଡ଼ି ରହିଥିଲା । ସ୍ଥାନୀୟ ରୀତିନୀତି ଅନୁଯାୟୀ ଗ୍ରାମରେ କେହି ମୃତ୍ୟୁବରଣ କଲେ ଚୂଲି ଜଳିବ ନାହିଁ । ତେଣୁ ସମଗ୍ର ଗାଁରେ ରୋଷେଇ ବନ୍ଦ ରହିଥିଲା । ତେବେ କିଛି ସାମାଜିକ କର୍ମୀ ଏ ନେଇ ସୂଚନା ପାଇବା ପରେ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିଜେ ଶବ ସତ୍କାର କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଶ୍ମଶାନରେ ମିଳିଲାନି ସ୍ଥାନ
