ଭୁବନେଶ୍ୱର: ରାଜ୍ୟ ସରକାରୀ ଅର୍ଥ କାରବାରକୁ ନେଇ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ, ସରକାରୀ ପ୍ରତିଷ୍ଠାନ ଓ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ସବୁ ଆର୍ଥିକ କାରବାର କେବଳ ୧୪ଟି ବ୍ୟାଙ୍କ ମାଧ୍ୟମରେ କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଆଉ ଘରୋଇ ବ୍ୟାଙ୍କଗୁଡ଼ିକରେ ଥିବା ଆକାଉଣ୍ଟଗୁଡ଼ିକୁ ୨୦୨୬ ଡିସେମ୍ବର ୩୧ତାରିଖ ସୁଦ୍ଧା ଯେଉଁ ଅଫିସରମାନେ ସମ୍ପୂର୍ଣ୍ଣ ବନ୍ଦ ନକରିବେ ଓ ସେଥିରେ ଥିବା ଅର୍ଥକୁ ତାଲିକାଭୁକ୍ତ ବ୍ୟାଙ୍କକୁ ସ୍ଥାନାନ୍ତର ନକରିବେ, ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି । ୨୦୨୬ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ବ୍ୟାଙ୍କଗୁଡ଼ିକର PMEGP, PMFME, PMMY, PMJDY, PMJJBY, PMSBY, PMSVANidhi ଏବଂ APY ଆଦି ପ୍ରମୁଖ ସରକାରୀ ଯୋଜନାର ସଫଳତା ଓ ସାଧାରଣ ବ୍ୟାଙ୍କିଙ୍ଗ୍ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରି ରାଜ୍ୟ ସରକାର ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କଗୁଡ଼ିକୁ ତାଲିକାରୁ ବାଦ୍ ଦେଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜିବ କୁମାର ମିଶ୍ର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ସରକାର ତାଲିକାଭୁକ୍ତ କରିଥିବା ୧୪ଟି ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ବାରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସାମିଲ ରହିଛି। ଏଣିକି ସରକାରଙ୍କ ସମସ୍ତ ପ୍ରକାରର ନୂଆ ଆକାଉଣ୍ଟ କେବଳ ଏହି ତାଲିକାଭୁକ୍ତ ବ୍ୟାଙ୍କଗୁଡ଼ିକରେ ଖୋଲାଯିବ।
ପ୍ରାଇଭେଟ୍ ବ୍ୟାଙ୍କରେ ଖୋଲିପାରିବେନି ସରକାରୀ ଖାତା, ୧୪ ସରକାରୀ ବ୍ୟାଙ୍କକୁ ମଞ୍ଜୁରୀ
