ଭୁବନେଶ୍ୱରକୁ ଦେଶର ନମ୍ବର-୧ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଆହ୍ୱାନ ଦେଇଛନ୍ତି ଯେ “ଏହି ସହର ଆମର ଏବଂ ଏହାର ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ।” ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଦେଶର ସ୍ୱଚ୍ଛତା ରାଙ୍କିଂ ରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ଯଦି ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ଭାବେ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବେ, ତେବେ ଆମ ରାଜଧାନୀ ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ପ୍ରଥମ ସ୍ଥାନ ହାସଲ କରିପାରିବ। ନାଗରିକମାନଙ୍କୁ ସଚେତନ ହେବାକୁ ଅନୁରୋଧ କରି ସେ କହିଛନ୍ତି ଯେ, ନିଜ ଘର ଓ ଅଗଣା ସଫା ରଖିବା ସହ ଘର ଆଗ ରାସ୍ତା ଏବଂ ନିଜ କଲୋନୀକୁ ପରିଷ୍କାର ରଖିବା ଆବଶ୍ୟକ। ସଫେଇ କର୍ମଚାରୀଙ୍କୁ ସହଯୋଗ କରି ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ସଫେଇ ଗାଡ଼ିକୁ ଦେବା ଏବଂ ରାସ୍ତାରେ ଅଳିଆ ନ ଫିଙ୍ଗିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତାର ସ୍ୱପ୍ନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ମାଧ୍ୟମରେ ଏହାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ଭଳି ଅଭିନବ କାର୍ଯ୍ୟକ୍ରମ ସମଗ୍ର ସମାଜକୁ ସ୍ୱଚ୍ଛତା ସହିତ ଯୋଡ଼ିବାରେ ସଫଳ ହୋଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ସଫେଇ ମିତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *