ବିବାଦ ପରେ ଫର୍ମ-୬ରୁ ହଟିଲା ଅତିରିକ୍ତ ଘୋଷଣାନାମା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଅନଲାଇନ୍‌ ଫର୍ମ-୬ରୁ ଅତିରିକ୍ତ SIR ଘୋଷଣାନାମାକୁ ହଟାଇଛି । ଏହି ଅତିରିକ୍ତ ଘୋଷଣାନାମା ECINET ଆପ୍‌, ପୋର୍ଟାଲ୍‌ ଏବଂ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରୁ ହଟାଯାଇଛି। ଏହି ଅତିରିକ୍ତ ଘୋଷଣାନାମାରେ ଆବେଦନକାରୀ ନିଜେ କିମ୍ବା ତାଙ୍କ ବାପା-ମାଆ ବା ଅଜା-ଆଈଙ୍କ ନାମ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ ଦେବାର ବ୍ୟବସ୍ଥା ଥିଲା। SIR ଚାଲିଥିବା ସମୟରେ ଏହି ଅତିରିକ୍ତ ଘୋଷଣାନାମା ଲାଗୁ ରହିବ ବୋଲି ଆୟୋଗ ପୂର୍ବରୁ ସ୍ପଷ୍ଟ କରିଥିଲା। ସେପ୍ଟେମ୍ବର ୨୬ରେ ଆୟୋଗ କହିଥିଲା ଯେ SIR ସମୟରେ ଏହି ଅତିରିକ୍ତ ବ୍ୟବସ୍ଥା ଲାଗୁ ହେବ, କିନ୍ତୁ SIR ବାହାରେ ୧୯୬୦ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଫର୍ମ ବ୍ୟବହାର କରାଯିବ। ଫର୍ମ-୬ ସହ ଏହି ଅତିରିକ୍ତ ଘୋଷଣାନାମାକୁ ନେଇ ନିର୍ବାଚନ ଆୟୋଗ ମଧ୍ୟରେ ମଧ୍ୟ ମତଭେଦ ସାମ୍ନାକୁ ଆସିଥିଲା। ନିର୍ବାଚନ ଆୟୁକ୍ତ ବିବେକ ଯୋଶୀ ଓ ସୁଖବୀର ସିଂହ ସାନ୍ଧୁ ଏହି ପରିବର୍ତ୍ତନ ନେଇ ଆପତ୍ତି ଉଠାଇଥିବା ରିପୋର୍ଟ ହୋଇଥିଲା।

Leave a Reply

Your email address will not be published. Required fields are marked *