ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳିମାଡ଼ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଖଜିରାପଶି ଗାଁର ତ୍ରିଲୋଚନ ମହାନ୍ତ। ତାଙ୍କ ପତ୍ନୀ ଜଣେ ମହିଳା କନେଷ୍ଟବଳ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ତୁରୁମୁଙ୍ଗା ଥାନା ଅଧୀନ କେନ୍ଦେଇପଶି ଅଞ୍ଚଳରେ ତ୍ରିଲୋଚନ ମହାନ୍ତ ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିଲେ। ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ଫେରୁଥିବା ବେଳେ ଖୁଣ୍ଟାପଡ଼ା ନିକଟରେ ତାଙ୍କୁ ଦୁର୍ବୃତ୍ତ ଅଟକାଇଥିଲେ | ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ତ୍ରିଲୋଚନଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ତାଙ୍କ ହାତରେ ଗୁଳି ବାଜିଥିବା ବେଳେ ପରେ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା | ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଜନସେବା କେନ୍ଦ୍ରରୁ କିଛି ଟଙ୍କା ନିଖୋଜ ଥିବା ନେଇ ମଧ୍ୟ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *