ଭୁବନେଶ୍ୱର: ଭୁବନେଶ୍ବର R&B ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର୍ (SO) ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କୁ ଗତକାଲି ଭିଜିଲାନ୍ସ ଗିରଫ କରିଛି । ୯.୨୪ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ଆଉ କିଛି ସହଯୋଗୀ ମଧ୍ୟ ସାମିଲ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୁକ୍ତଦ୍ୱୟ ଏଷ୍ଟାବ୍ଲିସମେଣ୍ଟ ସେକ୍ସନରେ କାମ କରୁଥିଲେ । ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଅନିୟମିତତା କରି ଉଭୟ ଟଙ୍କା ହଡ଼ପ କରିଥିଲେ । ମିଛ ଅର୍ଡର ଓ ବିଲ୍ କରି ଏହି ଘୋଟାଲା କରିଥିଲେ । ହେରଫେର କରାଯାଇଥିବା ଟଙ୍କାକୁ ୪୮ ଜଣଙ୍କ ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା ବୋଲି ତଦନ୍ତରେ ଜଣାପଡିଛି ।ଏନେଇ ବନଲତା, ବିଭୂଦତ୍ତ ଏବଂ ଅନ୍ୟମାନଙ୍କ ନାଁରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା (ନଂ.୨୧/୨୦୨୬) ରୁଜୁ କରାଯାଇଛି । ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି ।
୯ କୋଟିରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଭୁବନେଶ୍ୱର R&B ବିଭାଗର ୨ କର୍ମଚାରୀ ଗିରଫ
