ବକେୟା ଟଙ୍କା ନମିଳିବାରୁ RD କାର୍ଯ୍ୟାଳୟରୁ ଜବତ ହେଲା ଚୌକି-ଟେବୁଲ୍, କମ୍ପ୍ୟୁଟର

ଜଗତସିଂହପୁର: ଠିକାଦାରଙ୍କ ବକେୟା ପ୍ରାପ୍ୟ ନମିଳିବାରୁ ଜଗତସିଂହପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସବାବପତ୍ର ଜବତ । ହାଇକୋର୍ଟଙ୍କ ଆଦେଶ କ୍ରମେ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୌକି, ଟେବୁଲ୍, କଂପ୍ୟୁଟର ଆଦି ଜିନିଷ ଗାଡ଼ିରେ ବୋଝେଇ କରି ନିଆଯାଇଛି । ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାରଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ପୁଅ ଏହି ସାମଗ୍ରୀ ଗୁଡ଼ିକ ନିଜ ଅଧିନକୁ ନେଇଛନ୍ତି । ସୂଚନାନୁଯାୟୀ, ୧୯୯୭-୯୮ ମସିହାରେ କଟକ ରାଜାବାଗିଚା ଅଞ୍ଚଳର ସ୍ପେଶାଲ କ୍ଲାସ୍ ଠିକାଦାର ସ୍ୱର୍ଗତ ଅନ୍ତର୍ଯ୍ୟାମୀ ଲେଙ୍କା ମାର୍ଶାଘାଇ କେନାଲରେ ଏକ ନିର୍ମାଣ କାର୍ଯ୍ୟ କରିଥିଲେ । ମାତ୍ର କାମ ଶେଷ ହେବା ପରେ ବି ବିଭାଗ ତରଫରୁ ତାଙ୍କୁ ବିଲ୍ ପ୍ରଦାନ କରାଯାଇ ନଥିଲା । ଫଳରେ ସେ ଆଇନର ଆଶ୍ରୟ ନେଇଥିଲେ । ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିବା ଯୋଗୁଁ ବର୍ତ୍ତମାନ ସୁଧମୂଳ ମିଶି ବକେୟା ରାଶି ପ୍ରାୟ ୧୧ ଲକ୍ଷ ଟଙ୍କାରେ ପହଞ୍ଚିଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗତ ଅନ୍ତର୍ଯ୍ୟାମୀ ଲେଙ୍କାଙ୍କ ପୁଅ ଅଶୋକ କୁମାର ଲେଙ୍କା କାର୍ଯ୍ୟାଳୟର ସାମଗ୍ରୀଗୁଡ଼ିକୁ ନିଜ ଅଧୀନକୁ ନେଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଆରଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *