ଅଭିନେତ୍ରୀ ରକୁଲଙ୍କ ଘରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏବଂ ଭେଟେରାନ୍ ପ୍ରଯୋଜକ ବାସୁ ଭଗନାନୀଙ୍କ ମୋଟ ୧୨ଟି ଠିକଣାରେ ଆୟକର ବିଭାଗ ଚଢାଉ କରିଛି। ବିଦେଶକୁ ଅର୍ଥ ପଠାଇବା ଏବଂ ବଡ଼ଧରଣର ଟିକସ ଫାଙ୍କିବା ଅଭିଯୋଗରେ ଏହି କାର୍ଯ୍ୟାଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ଫିଲ୍ମ ସୁଟିଂ, ବିଦେଶୀ ବିତରଣ ଏବଂ ପ୍ରଯୋଜନା କାର୍ଯ୍ୟର ନାମରେ ବିପୁଳ ପରିମାଣର ଟଙ୍କା ବିଦେଶକୁ ପଠାଯାଉଥିବା ନେଇ ଆୟକର ବିଭାଗକୁ ଖବର ମିଳିଥିଲା। ଏହି ସମସ୍ତ ଆର୍ଥିକ କାରବାରରେ ବଡ଼ଧରଣର ଅନିୟମିତତା ଏବଂ ଟିକସ ଫାଙ୍କି ହୋଇଥିବା ସନ୍ଦେହ କରାଯାଉଛି। ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳରୁ ବ୍ୟାଙ୍କ ରେକର୍ଡ, ଡିଜିଟାଲ୍ ଡାଟା ଏବଂ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଦସ୍ତାବିଜ ଜବତ କରି ଯାଞ୍ଚ କରିଛନ୍ତି। ବିଶେଷକରି, ରକୁଲ ପ୍ରୀତ ସିଂହଙ୍କ ପରିବାର ପୂର୍ବରୁ ମଧ୍ୟ ବିଭିନ୍ନ ଆଇନଗତ ଜାଲରେ ଛନ୍ଦି ହୋଇ ରହିଛି। ଗତବର୍ଷ ଡିସେମ୍ବରରେ ଏକ ଡ୍ରଗ୍ସ ମାମଲାରେ ତାଙ୍କ ଭାଇ ଅମନପ୍ରୀତ ସିଂହଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଏହାଛଡ଼ା ପୂର୍ବରୁ ଇଡି (ED) ପକ୍ଷରୁ ମଧ୍ୟ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ମନି ଲଣ୍ଡରିଂ ମାମଲାରେ ରକୁଲଙ୍କୁ ପଚରାଉଚରା କରାଯାଇଥିଲା। ବର୍ତ୍ତମାନର ଏହି I.T. ରେଡ୍ ପରେ ବଲିଉଡ୍ କରିଡରରେ କଳାଧନ ଏବଂ ଆର୍ଥିକ କାରବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *