କଟକ: କଟକ ନୟାସଡ଼କରେ ଗତକାଲି ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ବାଣ ଫୁଟାଇବା ସହ ହାତରେ ବାଣ ଧରି ସାଧାରଣ ଲୋକଙ୍କ ଉପରେ ପକାଉଥିଲେ ଯୁବକ । ମହିଳା ଏସିପି ଫୋର୍ସ ନେଇ ଯୁବକଙ୍କୁ ବାରଣ କରିବାରୁ ଅମାନିଆ ଯୁବକ ମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ । କିଛି ସମୟ ପାଇଁ ଯଦିଓ ଉକ୍ତ ଅଞ୍ଚଳରେ ଉତ୍ତେଜନା ଭଳି ପରିସ୍ଥିତି ଉପୁଜିଥିଲା, ମାତ୍ର ପୋଲିସ ଏହାକୁ ନିୟନ୍ତ୍ରଣ କରିଥିଲା । ଆଜି (ସୋମବାର) ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କଟକ କମିଶନରେଟ ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ବିରୋଧରେ ୧୩ଟି ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ଲାଲବାଗ ଥାନା ପୋଲିସ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ବେଆଇନ ସମାବେଶ, ମାରପିଟ୍, ଗାଳିଗୁଲଜ ଓ ଧମକ ଦେବା ଭଳି ୧୩ଟି ସଂଗୀନ ଧାରାରେ ମାମଲା ରୁଜୁ କରିଛି । ଏହି ଘଟଣାରେ ସଂପୃକ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଚଢ଼ାଉ ଜାରି ରଖିଛି । କଟକ ଡିସିପି ଋଷିକେଶ ଡି ଖିଲାରୀ କହିଛନ୍ତି,”ପୂଜା ପାର୍ବଣ ଋତୁରେ ଅନେକ ପୋଲିସ କର୍ମଚାରୀ ସୁରକ୍ଷା ଦେବାକୁ କଟକ ଆସୁଛନ୍ତି । କୌଣସି ଅଧିକାରୀଙ୍କୁ ଏପରି ଦୁର୍ବ୍ୟବହାର କରିବା ଅନୁଚିତ । ଜଣେ ମହିଳା ଏସିପିଙ୍କୁ ଯୁବକ ମାନେ ଦୁର୍ବ୍ୟଵହାର କରିବା ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଇଛି ।”
କଟକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ
