ନୂଆଦିଲ୍ଲୀ: ଗ୍ୱାଦର ସ୍ଥିତ ପାକିସ୍ତାନୀ ତଟରକ୍ଷୀ ଶିବିର ଉପରେ ଏକ ଭୟାବହ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩୦ରୁ ଅଧିକ ଅର୍ଦ୍ଧସାମରିକ ସୈନିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପ୍ରତିବନ୍ଧିତ ସଂଗଠନ ‘ବଲୁଚ୍ ଲିବରେସନ୍ ଆର୍ମି’ (BLA) ନିଜେ ଏହି ଆକ୍ରମଣ ପାଇଁ ଦାୟିତ୍ୱ ସ୍ୱୀକାର କରିଛି। BLA ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଗ୍ୱାଦରର ଜିୱାନି ଅଞ୍ଚଳରେ ଥିବା ପନୱାନ୍ ତଟରକ୍ଷୀ ଶିବିରକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ଏକ ସୁଚିନ୍ତିତ ରଣନୀତି ଅନୁସାରେ ଆତଙ୍କବାଦୀମାନେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଗାଡ଼ିକୁ ସେନା ଶିବିର ସହ ଧକ୍କା କରାଇଥିଲେ। ସାମ୍ବାଦିକ ପରିଭାଷାରେ ଏହାକୁ “ଆତ୍ମଘାତୀ ଯାନବାହନ-ବାହିତ ଇମ୍ପ୍ରୋଭାଇଡ୍ ବିସ୍ଫୋରକ ଡିଭାଇସ୍” ବୋଲି ସଂଗଠନ ବର୍ଣ୍ଣନା କରିଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ‘ଦି ବଲୁଚିସ୍ତାନ୍ ପୋଷ୍ଟ’ର ରିପୋର୍ଟ ଅନୁସାରେ, BLA ମୁଖପାତ୍ର ଜିଆଣ୍ଡ ବଲୁଚ୍ କହିଛନ୍ତି ଯେ, “ଏହି ଶକ୍ତିଶାଳୀ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସୁଦୃଢ଼ ସେନା ଶିବିରଟି ସମ୍ପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ବିସ୍ଫୋରଣ ସଙ୍ଗେ ସଙ୍ଗେ ସଂଗଠନର ସ୍ପେଶାଲ ‘ଫତେହ ସ୍କ୍ୱାଡ୍’ ଆଗକୁ ବଢ଼ି ଚାରିପଟୁ କ୍ୟାମ୍ପକୁ ଘେରି ଗୁଳିମାଡ଼ କରିଥିଲେ।”
ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୩୦ରୁ ଅଧିକ ଯବାନ ନିହତ
