ପଛପଟୁ ଧକ୍କା ଦେଲା ସ୍କର୍ପିଓ, ଜୀବନ ହାରିଲେ ୪୪ ବର୍ଷୀୟ ପ୍ରଦୀପ

କଟକ: ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅଶ୍ବିନୀ ଦାସଙ୍କ ସ୍କର୍ପିଓ ଗାଡି ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ିଟି ଢେଙ୍କାନାଳ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କର ବୋଲି ଜଣା ପଡିଛି । ଗାଡି ଧକ୍କାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରଦୀପ ପରିଡ଼ା(୪୪ ବର୍ଷ )। ପୌର ନିର୍ବାହୀ ଅଧିକାରୀ ନିଜେ ଗାଡ଼ି ଚଳାଉଥିଲେ ଏବଂ ସେ ଅତି ବେପରୁଆ ଭାବେ ଗାଡି ଚଲାଉଥିଲେ ବୋଲି ସୂଚନା ମିଳିଛି। ସୂଚନା ଥାଉ ଯେ, ପ୍ରଦୀପ ରାସ୍ତାରେ ଚାଲି କରି ଯାଉଥିବା ବେଳେ ତାଙ୍କୁ ପଛ ପଟରୁ ଗାଡି ଧକ୍କା ଦେଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ନିଜେ ନିର୍ବାହୀ ଅଧିକାରୀ ପ୍ରଦୀପଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ପ୍ରଦୀପଙ୍କୁ ଏସସିବିରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଦୀପଙ୍କୁ ଗାଡ଼ିରେ ନେଇ ଯିବା ସମୟରେ କିଭଳି ଦୁର୍ଘଟଣାରୁ ରକ୍ଷା ପାଇବେ, ସେଥିପାଇଁ କାହାର ପରାମର୍ଶ ନିର୍ବାହୀ ଅଧିକାରୀ ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ସ୍ଥାନୀୟ ଥାନା ମଧୁପାଟଣା ଥାନାରେ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ ହୋଇଛି। ଥାନାଧିକରୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ କହିବା ଅନୁଯାୟୀ, ‘କିଏ ଗାଡି ଚଳାଉଥିଲେ ତାହାର ତଦନ୍ତ କରାଯାଉଛି। ମାତ୍ର ଡ୍ରାଇଭର ଜଣକ ଦୁର୍ଘଟଣା କରିବା ପରେ ଫେରାର ହୋଇଯାଇଥିବା ବେଳେ, ଗାଡିର ମାଲିକ ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଧରି ମେଡିକାଲ ନେଇଥିବା ଜଣା ପଡିଛି। ଉକ୍ତ ବ୍ୟକ୍ତିଙ୍କର ପଛ ପଟୁ ଗାଡି ଧକା ଦେଇଥିଲା। ଗାଡିକୁ ଯବତ କରିବା ସହ ଏନେଇ ତଦନ୍ତ କରାଯାଉଛି। ଏହା ସହିତ ବ୍ୟକ୍ତିଙ୍କର ମୃତୁ ପରେ ଶବ ବ୍ୟବଚ୍ଛଦ କରାଯାଇଛି।

Leave a Reply

Your email address will not be published. Required fields are marked *