ମାଟି ଓ ପଥର ତଳେ ଚାଲିଛି ୬ ନିଖୋଜଙ୍କ ସନ୍ଧାନ: ଜି. ଉଦୟଗିରି

ଜି. ଉଦୟଗିରି: ସକାଳୁ ସକାଳୁ ଗିଡିପାବାଲି ଗାଁର ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ । ଜି. ଉଦୟଗିରି ତହସିଲଦାରଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ସେମାନଙ୍କୁ ସହଯୋଗ କରିବା ପାଇଁ ଡିଭିଏଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛି । ମୋଟ୍ ୮୦ରୁ ୧୦୦ ଜଣ ଉଦ୍ଧାରକାରୀ ଏହି ଅଭିଯାନରେ ସାମିଲ ଥିବା ଜଣାପଡ଼ିଛି । ଚାରିଆଡ଼େ ମାଟି ଓ ବଡ଼ ବଡ଼ ପଥର ଗଦା ହୋଇ ରହିଛି । ତଥାପି ହାର ମାନିନାହାନ୍ତି ଉଦ୍ଧାରକାରୀ ଯୋଦ୍ଧା । ନିଖୋଜଙ୍କୁ ଖୋଜିବା ପାଇଁ ଆଜି ଦିନତମାମ ଅପରେସନ୍ ଜାରି ରହିବ । ଅଭିଯାନ ସଫଳ ହେବ ବୋଲି ଆଶା ରଖିଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଅଧିକାରୀ । ଅର୍ଣ୍ଣବ ବାତ୍ୟାର ପ୍ରଭାବ ଚାଲିଥିବା ସମୟରେ ଗାଁ ନିକଟସ୍ଥ ପାହାଡ଼ ଉପରୁ ହଠାତ୍ ଘଟିଥିଲା ବିରାଟ ଭୂସ୍ଖଳନ । ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଧସି ଆସି ଗାଁକୁ ପୋତି ଦେଇଥିଲା । ଦେଖୁ ଦେଖୁ ମାଟି ତଳେ ମିଶିଯାଇଥିଲା ଗାଁର ୯ଟି ଘର । ଘଟଣା ପରେ ୧୩ ଜଣ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଛି । ହେଲେ ଆଉ ୬ ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ ।

Leave a Reply

Your email address will not be published. Required fields are marked *