ଡିଜିପି ୱାଇ. ବି. ଖୁରାନିଆଙ୍କୁ ଅବସର ଅନୁମତି

ଭୁବନେଶ୍ୱର: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ ଆସନ୍ତା ଅଗଷ୍ଟ ୧୬ ତାରିଖରେ ପଦବୀରୁ ଅବସର ଗ୍ରହଣ କରିବେ। ତାଙ୍କ ଅବସର ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଜଣେ ବରିଷ୍ଠ ଆଇପିଏସ୍ ଅଫିସର। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ସେ ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ରାଜ୍ୟ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜର ଦୀର୍ଘ ଚାକିରି କାଳ ମଧ୍ୟରେ ଶ୍ରୀ ଖୁରାନିଆ ନୟାଗଡ଼, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲା ସହ ରାଉରକେଲା ପୁଲିସ ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ ତୁଲାଇଛନ୍ତି। ପରବର୍ତ୍ତୀ ସମୟରେ ଡିଆଇଜି ପଦବୀକୁ ପଦୋନ୍ନତି ପାଇ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ, ସମ୍ବଲପୁର ଉତ୍ତରାଞ୍ଚଳ, ଭୁବନେଶ୍ୱର ରେଞ୍ଜ ଏବଂ କମିଶନରେଟ୍ ପୁଲିସରେ ଅତିରକ୍ତ କମିଶନର ଭାବେ ସଫଳତାର ସହ ଦାୟିତ୍ୱ ସମ୍ଭାଳିଥିଲେ। ଆଇଜି ଭାବେ ପଦୋନ୍ନତି ପାଇବା ପରେ ସେ ଉତ୍ତରାଞ୍ଚଳ ସମ୍ବଲପୁର, ଷ୍ଟେଟ୍ ଆର୍ମଡ ପୁଲିସ ଏବଂ ଭୁବନେଶ୍ୱରରେ ଅପରେସନ୍ ଆଇଜି ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରୀୟ ଡେପୁଟେସନ୍ ସମୟରେ ସେ ସୀମା ସୁରକ୍ଷା ବଳ ର ସ୍ୱତନ୍ତ୍ର ଡିଜି ଭାବେ ଦାୟିତ୍ୱ ତୁଲାଇବା ପରେ ପୁନର୍ବାର ରାଜ୍ୟ କ୍ୟାଡରକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *