ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସପ୍ତମ ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ସେପ୍ଟେମ୍ବର ୧୮ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏଥର କିଛି ଦିନ ବିଳମ୍ବରେ ବସୁଛି। ଅଧିବେଶନର ଅବଧି କମ୍ ଥିଲେ ବି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ନିଶ୍ଚିତ। ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ସଂଶୋଧନ ପ୍ରସଙ୍ଗ ସବୁଠୁ ବଡ଼ ମୁଦ୍ଦା ହୋଇପାରେ। ଏହା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରି ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି। ସାମ୍ପ୍ରତିକ ବନ୍ୟା କ୍ଷୟକ୍ଷତି, ରିଲିଫ୍ ବଣ୍ଟନ, ପୁନର୍ବାସ ଓ କ୍ଷତିପୂରଣରେ ତ୍ରୁଟି ଅଭିଯୋଗ ଆଣି ବିରୋଧୀ ସରକାରଙ୍କୁ ଜବାବ ମାଗିବେ। ଚାଷୀ ପଞ୍ଜୀକରଣରେ ଯୋଗ୍ୟ ଚାଷୀ ବାଦ୍ ପଡ଼ିବା, ଧାନ ସଂଗ୍ରହ ବ୍ୟବସ୍ଥାରେ ଅବ୍ୟବସ୍ଥା ଏବଂ ସାମଗ୍ରିକ କୃଷି ସଙ୍କଟକୁ ନେଇ ଗୃହ ସରଗରମ ରହିବ। ଆଇନଶୃଙ୍ଖଳା ପରିସ୍ଥିତି, ଡିଜିପି ଚୟନ ବିବାଦ, ୟୁଏଇ ନିବେଶକ ସମ୍ମିଳନୀ ଏବଂ ଓରାଙ୍ଗଉଟାନ ପ୍ରସଙ୍ଗରେ ମଧ୍ୟ ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ଯୋଜନା ରଖିଛନ୍ତି।

Leave a Reply

Your email address will not be published. Required fields are marked *