ସେପ୍ଟେମ୍ବର ୩୦ରେ ‘ଓଡ଼ିଶା ବନ୍ଦ’ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରତିବାଦରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ବନ୍ଦ ଡାକରା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଅନେକ ଭୁଲ୍ ରହିଛି। ଏଥିପାଇଁ ସେ ସିଧାସଳଖ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ସୂଚନା ଥାଉ ଯେ, ଚଳିତ ବର୍ଷ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ହଜାର ହଜାର ସଂଖ୍ୟାରେ ତ୍ରୁଟି ସାମ୍ନାକୁ ଆସିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିରୋଧୀ ଦଳ, ଶିକ୍ଷାବିତ୍ ଏବଂ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ସରକାରୀ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଗାମୀ ସେପ୍ଟେମ୍ବର ୩୦ ରେ ବନ୍ଦକୁ ସମର୍ଥନ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟବାସୀଙ୍କୁ ନିବେଦନ କରିଛି।

Leave a Reply

Your email address will not be published. Required fields are marked *