ସୋମବାର ‘No Meeting Day’, ଜରୁରୀ ନଥିଲେ ହେବନି ସରକାରୀ ବୈଠକ:ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରତି ସୋମବାରକୁ ‘ଅଣ ବୈଠକ ଦିବସ’ ବା ‘No Meeting Day’ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ ଜରୁରୀ ପରିସ୍ଥିତି ବ୍ୟତୀତ ସୋମବାର କୌଣସି ବୈଠକ ନରଖିବାକୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ନିର୍ଦ୍ଦେଶ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ଶାସନ ସଚିବ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ସୋମବାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସାପ୍ତାହିକ ଜନଅଭିଯୋଗ ଶୁଣାଣି ହେଉଛି । ଏହି ସମୟରେ ସାଧାରଣ ଲୋକେ ନିଜର ଅଭିଯୋଗ ଓ ସମସ୍ୟା ନେଇ ଅଧିକାରୀଙ୍କ ନିକଟକୁ ଆସୁଛନ୍ତି । ତେଣୁ ଏହି ଦିନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣକୁ ସରକାର ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ସରକାରଙ୍କ ନଜରକୁ ଆସିଛି ଯେ ସୋମବାର ଦିନ ମଧ୍ୟ ଉଚ୍ଚ ପଦାଧିକାରୀଙ୍କ ସ୍ତରରେ ବିଭିନ୍ନ ବୈଠକ ରଖାଯାଉଛି । ଏହାଦ୍ୱାରା ବରିଷ୍ଠ ଅଧିକାରୀମାନେ ସାପ୍ତାହିକ ଅଭିଯୋଗ ଶୁଣାଣିରେ ଠିକ୍ ଭାବେ ଯୋଗଦେଇ ପାରୁନାହାନ୍ତି ଏବଂ ଅଭିଯୋଗ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ସୋମବାରକୁ ‘No Meeting Day’ ଘୋଷଣା କରାଯାଇଛି । ଅତ୍ୟନ୍ତ ଜରୁରୀ କାରଣ ନଥିଲେ ସେହିଦିନ କୌଣସି ପ୍ରକାର ବୈଠକ ନରଖିବାକୁ ସ୍ପଷ୍ଟ ଭାବେ କୁହାଯାଇଛି । ଏହାଦ୍ୱାରା ଉଚ୍ଚ ପଦାଧିକାରୀମାନେ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିପାରିବେ।

Leave a Reply

Your email address will not be published. Required fields are marked *