ମଧୁବାବୁ ପେନସନ୍ ଯୋଜନା: ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ସାମିଲ

ବାଲେଶ୍ୱର: ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ରାଜ୍ୟର ପ୍ରାୟ ୫ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ସାମିଲ କରାଯିବ। ମଧୁବାବୁ ପେନସନ୍ ଯୋଜନାରେ ଯୋଡ଼ି ହେବେ ଆଉ ୫ ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀ। ଆଜି ବାଲେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆୟୋଜିତ ସାଧାରଣ ସଭାରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବାଲେଶ୍ୱର, ଭଦ୍ରକ ସାଂସଦ ଉପସ୍ଥିତ ରହିବେ । ପୂର୍ବରୁ ହିତାଧିକାରୀମାନେ ପେନସନ୍ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ସମସ୍ୟାର ସମାଧାନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସିଷ୍ଟମରେ ପରିବର୍ତ୍ତନ ଅଣାଯାଇ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଯଥାଶୀଘ୍ର ସହାୟତା ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ମଧୁବାବୁ ପେନସନ୍ ଯୋଜନାରେ ଏବେ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ହିତାଧିକାରୀମାନେ ସିଧାସଳଖ ସେମାନଙ୍କର ପ୍ରାପ୍ୟ ପାଇପାରିବେ। ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସାରା ବହୁ ଦିନରୁ ଅପେକ୍ଷା କରିଥିବା ୫ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଅକ୍ଟୋବର ମାସରୁ ସେମାନଙ୍କୁ ପେନସନ୍ ମିଳିବା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *