ଆଳୁ ଦର ୧୨ ଟଙ୍କାରୁ ଅଧିକ ହେଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ

ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ୧୨ ଟଙ୍କାରୁ ଅଧିକରେ ବିକ୍ରି କଲେ ଯିବେ ଜେଲ୍। ରାଜଧାନୀର ବିଭିନ୍ନ ମାର୍କେଟରେ ଚଢାଉ କରାଯିବା ସହ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମସି ଏସିଏସଓ ସହିତ ଭୁବନେଶ୍ୱର ସବୁ ବ୍ୟବସାୟୀ ଯୋଗଦେଇଥିଲେ । ଆଳୁ ଓ ପିଆଜ ବିକ୍ରି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବୈଠକରେ ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ। ଏହା ସହ ପିଆଜ ଦର ମଧ୍ୟ ୨୦ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏହାପରେ ଆରମ୍ଭ ହୋଇଥିଲା ଚଢାଉ। ଯୋଗାଣ ବିଭାଗର ଏସିଏସ୍ଓଙ୍କ ନେତୃତ୍ୱରରେ ୟୁନିଟ୍-୧, ୟୁନିଟ୍-୪ ମାର୍କେଟରେ ଚଢ଼ାଉ କରାଯାଇଥିଲା। ଖାଲି ଆଳୁ କି ପିଆଜ ନୁହେଁ। ବିଭାଗ ପକ୍ଷରୁ ହାଟରେ ଥିବା ସବୁ ଗ୍ରୋସରୀ ଦୋକାନ ବି ଯାଞ୍ଚ କରାଯାଇଛି। ଚାଉଳ, ଡାଲି, ତେଲ ଦର ଯାଞ୍ଚ କରାଯାଇଥିଲା। ଏହାସହ ବଡ ଗୋଦାମରେ ଥିବା ଷ୍ଟକ ବି ଯାଞ୍ଚ କରିଛି ଯୋଗାଣ ବିଭାଗ ।

Leave a Reply

Your email address will not be published. Required fields are marked *