ଆଜିଠୁ ଘଟଗାଁରେ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ

କେନ୍ଦୁଝର:କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଚଇତି ପର୍ବ। ଚୈତ୍ର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ଏହି ଉତ୍ସବରେ ମା’ ଜଗତଜନନୀ ୭ ଦିନ ଧରି ଭକ୍ତଙ୍କୁ ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ। ଆଜି ବ୍ରହ୍ମ ମୁହୂର୍ତ୍ତରେ ମା’ଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର ଏବଂ ଚନ୍ଦନରେ ମହାସ୍ନାନ କରାଯାଇଥିଲା। ସ୍ନାନ ପରେ ମା’ଙ୍କୁ ସିନ୍ଦୁରରେ ସଜିତ କରାଯାଇ ସୁନାମୁକୁଟ, ସୁନାର ଚକ୍ଷୁ, ଚିତା ଏବଂ ହୀରା ନୁଥ ଆଦି ଆଭୂଷଣରେ ବଡ଼ସିଂହାର ବେଶ କରାଯାଇଛି। ଷୋଡ଼ଶ ଉପଚାର ବିଧିରେ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିଛି। ସୂଚନାଯୋଗ୍ୟ ଯେ, ମା’ ତାରିଣୀ କେଉଁ ଆବାହନ କାଳରୁ ଶାଳବଣରେ ପୂଜା ପାଇ ଆସୁଥିବା ବେଳେ ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଚଇତି ପର୍ବ ପାଳିତ ହୋଇଆସୁଛି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଏହାସହ ମା’ଙ୍କ ସାଂସ୍କୃତିକ ମଣ୍ଡପରେ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି।

Leave a Reply

Your email address will not be published. Required fields are marked *