ଭୁବନେଶ୍ୱର: ସହରାଂଚଳରେ ଘର ନିର୍ମାଣ କରିବା ନିମନ୍ତେ ଆବଶ୍ୟକ ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ କିମ୍ବା ମାସମାସ ଧରି ବିଭିନ୍ନ ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଖୁବଶୀଘ୍ର ଘରର ପ୍ଲାନ୍ ଆପ୍ରୁଭାଲ୍ ଓ ଏନଓସି ନିମନ୍ତେ ‘ସିଙ୍ଗଲ୍ ୱିଣ୍ଡୋସିଷ୍ଟମ୍’ ଲାଗୁ କରିବାକୁ ଯାଉଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ଓଟିଭି ପକ୍ଷରୁ ଆୟୋଜିତ ‘ଡ୍ରିମ୍ ହୋମ୍ ଏକ୍ସପୋ’ରେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେ, ଏହି ନୂଆ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ବିଭାଗର ସଚିବ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ, ଅଗ୍ନିଶମ ବାହିନୀ ଓ ଏୟାରପୋର୍ଟ ଅଥରିଟି ଭଳି ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଗୋଟିଏ ଟେବୁଲରେ ବସାଇ ନିୟମ ସରଳୀକରଣ କରାଯିବ ଓ ଅଳ୍ପ ଦିନ ମଧ୍ୟରେ ଫଟାଫଟ୍ ପ୍ଲାନ୍ ଆପ୍ରୁଭାଲ୍ ଯୋଗାଇ ଦିଆଯିବ। ଗୋଟିଏ ଘର ନିର୍ମାଣ ନିମନ୍ତେ ଆବଶ୍ୟକ ସରକାରୀ ମଞ୍ଜୁରୀ ବା ଏନ୍ଓସି ହାସଲ କରିବାକୁ ୬ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଉଥିବାରୁ ମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଯେଉଁ ଅଂଚଳରେ ବିମାନବନ୍ଦରର କୌଣସି ପ୍ରଭାବ ନାହିଁ, ସେଠାରେ ମଧ୍ୟ ଅଯଥାରେ ଏୟାରପୋର୍ଟ ଏନ୍ଓସି ପାଇଁ ଲୋକଙ୍କୁ ମାସ ମାସ ଧରି ଅଟକାଇ ରଖିବା ବ୍ୟବସ୍ଥାକୁ ବନ୍ଦ କରାଯିବ। ସିଙ୍ଗଲ୍ ୱିଣ୍ଡୋସିଷ୍ଟମ୍ ଦ୍ୱାରା ପ୍ରକ୍ରିୟା ସ୍ୱଚ୍ଛ ଓ ତ୍ୱରାନ୍ୱିତ ହେଲେ ଲୋକଙ୍କ ସମୟ ବଂଚିବା ସହ ସରକାରୀ ଫାଇଲ ପ୍ରକ୍ରିୟାରୁ ବି ମୁକ୍ତି ମିଳିବ।ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ଲାନ୍ ଆପ୍ରୁଭାଲ୍ରେ ହେଉଥିବା ବିଳମ୍ବ ଯୋଗୁଁ ଗୋଟିଏ ଆପାର୍ଟମେଣ୍ଟ ବା ହାଉସିଂ ପ୍ରକଳ୍ପ ସରିବାକୁ ୫ରୁ ୭ବର୍ଷ ସମୟ ଗଡ଼ିଯାଉଛି। ଫଳସ୍ୱରୂପ ନିର୍ମାଣ ଖର୍ଚ୍ଚ ବଢ଼ିଯାଉଛି ଓ ଶେଷରେ ସାଧାରଣ ଘର କ୍ରେତାଙ୍କ ଉପରେ ଏହାର ଆର୍ଥକ ବୋଝ ପଡ଼ୁଛି। ସିଙ୍ଗଲୱିଣ୍ଡୋ ମାଧ୍ୟମରେ ତୁରନ୍ତ ମଞ୍ଜୁରୀ ମିଳିଲେ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହୋଇପାରିବ। ଏହାସହିତ ମୁମ୍ବାଇ ଭଳି ବଡ଼ ସହରର ‘ମିଶନ ୧୦୦’ ଢାଂଚା ତଥା ପ୍ରି-କାଷ୍ଟିଂ ଟେକ୍ନୋଲୋଜି ବ୍ୟବହାର କରି କମ୍ ଦିନରେ ଅଧିକ ଘର ନିର୍ମାଣ କରିବାକୁ ମନ୍ତ୍ରୀ ଡେଭଲପରମାନଙ୍କୁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ନିର୍ମାଣ ଖର୍ଚ୍ଚ ହ୍ରାସ ପାଇବ ଓ ମଧ୍ୟବିତ୍ତ ଲୋକେ ଶସ୍ତାରେ ଫ୍ଲାଟ୍ ପାଇପାରିବେ।ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଟାଉନ୍ ପ୍ଲାନିଂ ବା ଟିପି ସ୍କିମ୍ ଅଧୀନରେ ଥିବା ଛୋଟ ଜମି ମାଲିକମାନଙ୍କ ପାଇଁ ମଧ୍ୟ ବଡ଼ ସୁବିଧାର ବ୍ୟବସ୍ଥା ସରକାର କରୁଛନ୍ତି । ଟିପି ସ୍କିମରେ ଲୋକଙ୍କଠୁ ନିଆଯାଉଥିବା ୪୦ପ୍ରତିଶତ ଜମିରେ ୬୦ରୁ ୨୦୦ ଫୁଟର ପ୍ରଶସ୍ତ ରାସ୍ତା, ଡ୍ରେନେଜ୍, ସ୍ୱରେଜ୍, ଆଲୋକ ଓ ପାଣି ଭଳି ଭିତ୍ତିଭୂମି ତିଆରି ହେଉଛି। ବିଶେଷକରି ଟିପି ସ୍କିମ ଅଧୀନରେ ରହୁଥିବା ଛୋଟ ଛୋଟ ଜମି ମାଲିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି। ଯଦି ଛୋଟଛୋଟ ଜମିର ମାଲିକମାନେ ଚାହିଁବେ ଏକାଠି ହୋଇ ରାସ୍ତାକଡ଼ରେ ବିଲଡ଼ରମାନଙ୍କ ସହଯୋଗରେ ଉପଯୁକ୍ତ ଘର ତିଆରି କରିପାରିବେ। ସେମାନଙ୍କ ପାଇଁ ସୁବିଧାର ବ୍ୟବସ୍ଥା କରାଯାଉଛି, ଯାହାଫଳରେ ଛୋଟ ଜମି ମାଲିକମାନେ କୌଣସି କ୍ଷତି ସହିବେ ନାହିଁ ଓ ସହଜରେ ଅନୁମତି ମଧ୍ୟ ପାଇପାରିବେ।
ସିଙ୍ଗଲୱିଣ୍ଡୋ ସିଷ୍ଟମରେ ମିଳିବ ଘରର ପ୍ଲାନ୍ ଆପ୍ରୁଭାଲ ଓ ଏନଓସି
