ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏ ବର୍ଷ ଦୀପାବଳି ପାଳନ କରିବେନି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜଣାଇବା ଉଦ୍ଦେଶ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳୀ ଉତ୍ସବ ପାଳିତ ହେବ ନାହିଁ। ଏହାସହିତ ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ପ୍ରକାର ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବା ପାଇଁ ସମସ୍ତ ଶୁଭେଚ୍ଛୁ ତଥା ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ରହି ବିପର୍ଯ୍ୟୟ ପ୍ରଭାବିତଙ୍କ ସହାୟତାରେ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି। ସେହିପରି ନବୀନ ପଟ୍ଟନାୟକ ମଧ୍ୟ ଦୀପାବଳି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ପାଇଁ ଲୋକମାନେ ଅକଥନୀୟ ଦୁଃଖ ଓ ଯନ୍ତ୍ରଣା ଭିତରେ ଅଛନ୍ତି । କନ୍ଧମାଳରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ନିଖୋଜ ଥିବା ସମସ୍ତଙ୍କୁ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ । ଏଭଳି ଦୁଃଖଦ ସମୟରେ ବିପନ୍ନଙ୍କ ସହ ସମବେଦନା ଜଣାଇବା ସହ ଦୀପାବଳି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *