ଓଡ଼ିଶା ମହିଳା ଏବଂ ପୁରୁଷ ପୋଲିସ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମ୍ବର୍ଦ୍ଧିତ କରିଛନ୍ତି । ଗତ ୨୩.୦୩.୨୦୨୬ ରୁ ୦୫.୦୪.୨୦୨୬ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିବା ଏହି ଚମ୍ପିୟାନସିପ୍‌ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ହୋଇଛନ୍ତି । ଆସାମ ରାଇଫଲସ ଚମ୍ପିୟାନ ହୋଇଥିବା ବେଳେ ଓଡ଼ିଶା ପୋଲିସ ରନର୍ସଅପ ହୋଇଥିଲା। ଏହି ସଫଳତା ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ । କ୍ରୀଡ଼ାବିତଙ୍କ ଏହି କୃତିତ୍ୱ ରାଜ୍ୟ ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି। ସେହିପରି ଓଡ଼ିଶା ପୋଲିସ ପୁରୁଷ ଫୁଟବଲ ଦଳ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଓଡ଼ିଶା ପୋଲିସର ଦୁଇଜଣ ଶ୍ରେଷ୍ଠ ଖେଳାଳି ସମଗ୍ର ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ହାସଲ କରି ଓଡ଼ିଶା ପୋଲିଶ ପାଇଁ ଗୌରବ ଆଣିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *