ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟିର ଦ୍ୱିତୀୟ ଅନ୍ତରିଣ ରିପୋର୍ଟ ଦାଖଲ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀଣ ଉନ୍ନତି ଓ ସୁପରିଚାଳନା ନିମନ୍ତେ ଆବଶ୍ୟକ ପରାମର୍ଶ ଦେବା ପାଇଁ ଜଷ୍ଟିସ୍‌ ଡ ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଦୁଇଜଣିଆ କମିଟି ଗଠିତ ହୋଇଥିଲା। ଏହି କମିଟି ଆଜି, ନିଜର ଦ୍ବିତୀୟ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ମନ୍ଦିରର ସେବା ପୂଜା, ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ଗର୍ଭଗୃହ ଓ ରୋଷଶାଳା ମରାମତି, ଉଜ୍ଜ୍ଵଳ ଆଲୋକୀକରଣ ବ୍ୟବସ୍ଥା, ସେବାୟତ ପାଇଁ ସ୍ୱତନ୍ତ୍ର ତାଲିମ୍‌ କାର୍ଯ୍ୟକ୍ରମ, ହୁଣ୍ଡି ପରିଚାଳନା, ଜମି ସମସ୍ୟା ସମାଧାନ ନେଇ ପ୍ରାୟ ୧୬ଟି ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଶ୍ରୀହରିଚନ୍ଦନ ଏହି ରିପୋର୍ଟ ଗ୍ରହଣ କରିବା ସହ ଏହାକୁ ସଂପୂର୍ଣ୍ଣ ଅନୁଶୀଳନ କରି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ସହ ସମସ୍ତ ସେବାୟତ, ନିଯୋଗ ଏବଂ ଭକ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ବ୍ୟବସ୍ଥା କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଇନ୍‌ ବିଭାଗ ପ୍ରମୁଖ ଶାସନ ସଚିବ ଡ ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚାନଥାଉ ଯେ, ଚଳିତ ବର୍ଷ ଜାନୁଆରିରେ କମିଟି ପ୍ରଥମ ଅନ୍ତରୀଣ ରିପୋର୍ଟରେ ଶ୍ରୀମନ୍ଦିର ପରିଚାଳନା ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ମନ୍ଦିର ରେକର୍ଡ ଅଫ୍‌ ରାଇଟ୍‌ସର ସମୀକ୍ଷା ଏବଂ ଚୂଡ଼ାନ୍ତ କରିବାକୁ ମଧ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *