ବଦଳିବ ରୂପରେଖ ବିଶ୍ୱସ୍ତରୀୟ ଟୁରିଷ୍ଟ ସ୍ପଟ୍ ହେବ ଖଣ୍ଡଗିରି-ଉଦୟଗିରି

ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରି ଏହି ଯୁଗ୍ମ ପାହାଡ଼କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ହୋଇଛି ବଡ଼ ଯୋଜନା। ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ ଦେଇଛି l ବିଭାଗୀୟ ସ୍ଥାୟୀ କମିଟି-୩ ପକ୍ଷରୁ ଖଣ୍ଡଗିରି-ଉଦୟଗିରିର ସର୍ବାଙ୍ଗୀନ ବିକାଶ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି। ଏହି ଯୋଜନାର ସବୁଠୁ ବଡ଼ ଆକର୍ଷଣ ହେବ କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ। ପ୍ରସ୍ତାବ ଅନୁଯାୟୀ, ପାହାଡ଼ ଉପରକୁ ଯିବା ପାଇଁ ସୁନ୍ଦର ୱାକିଂ ପାର୍କ ତିଆରି ହେବ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକାଲ ଫାଉଣ୍ଟେନ ଓ ଆଧୁନିକ ଆଲୋକୀକରଣ ବ୍ୟବସ୍ଥା କରାଯିବ। ରାତିରେ ଏହି ଐତିହାସିକ ସ୍ଥଳୀର ଚକଚକି ଦେଖିବାକୁ ମିଳିବ l ବୟସ୍କ ଓ ଦିବ୍ୟାଙ୍ଗ ପର୍ଯ୍ୟଟକଙ୍କ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ରାମ୍ପ କିମ୍ବା ଲିଫ୍ଟ ବ୍ୟବସ୍ଥା କରିବା ପ୍ରସ୍ତାବ ରହିଛି। ଏହା ସହ ଓପନ ଏୟାର ଆମ୍ଫି-ଥିଏଟର ଓ ଇଣ୍ଟରପ୍ରିଟେସନ ସେଣ୍ଟର ନିର୍ମାଣ ହେବ, ଯେଉଁଠାରେ ଖଣ୍ଡଗିରି-ଉଦୟଗିରିର ଐତିହ୍ୟ ଓ କଳିଙ୍ଗ ସଭ୍ୟତା ସମ୍ପର୍କରେ ପର୍ଯ୍ୟଟକମାନେ ତଥ୍ୟ ପାଇପାରିବେ। ସେହିପରି, ଦୁଇ ପାହାଡ଼ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ଏକ ସ୍ଥାୟୀ ପ୍ରବେଶ ପଥ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି।

Leave a Reply

Your email address will not be published. Required fields are marked *