ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସ୍ପେଶାଲ୍‌ ଲିଭ୍‌ ପିଟିସନ୍‌ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘଦିନ ଧରି ଆଇନଗତ ପ୍ରକ୍ରିୟା ଜାରି ରହିଛି। ମାମଲାରେ ବିଦ୍ୟାଭାରତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅବ୍ୟାହତ ରହିବ।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ ଆହୁରି ବଢ଼ିଯାଇଛି। କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ଯେଉଁ ଆବେଦନ କରିଥିଲେ ତାହାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରୁ ଛାଡ଼ ଓ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା CRLMC ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏଥିସହ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତେବେ ନିମ୍ନ ଅଦାଲତରେ ହାଜର ହେବା ପରେ ସେ ନିମ୍ନ ଅଦାଲତ ଏହା ପରେ ଜିଲ୍ଲା ଦୌରା ଜଜ କୋର୍ଟରେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ମସିହାରେ ପାରଳାଖେମୁଣ୍ଡି ଥାନାରେ ରୁଜୁ ହୋଇଥିବା ମାମଲାରେ ପ୍ରଥମେ ୩୦୨ ଏବଂ ୧୨୦-ବି ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ବିରୋଧରେ ୩୦୪-ଏ ଧାରାରେ ଚାର୍ଜସିଟ ଦାଖଲ କରିଥିଲା। କିନ୍ତୁ ପୋଲିସର ଚାର୍ଜସିଟ୍‌ରେ ୩୦୨ ଧାରା ନଥିବାରୁ ଅଭିଯୋଗକାରୀ ଅଭିରାମ ମହାପାତ୍ର ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ। ଏହା ଉପରେ ତଦନ୍ତ ପରେ SDJM କୋର୍ଟ ୧୨ ଏପ୍ରିଲ ୨୦୨୩ରେ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ୩୦୨/୧୨୦-ବି ଧାରାରେ କଗ୍ନିଜାନ୍ସ ନେଇଥିଲେ। ଯାହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଦ୍ୟାଭାରତୀ। ପୂର୍ବରୁ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ପରେ ସେ ଗିରଫ ମଧ୍ୟ ହୋଇଥିଲେ। ତେବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ନିୟମିତ କୋର୍ଟରେ ହାଜର ହେବାରୁ ଛାଡ଼ ପାଇଁ ବିଦ୍ୟାଭାରତୀ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *