ସୁନ୍ଦରଗଡ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କଳକାରଖାନାରୁ ନିର୍ଗତ ବିଷାକ୍ତ କୋଇଲା ପାଉଁଶ ଗୁଣ୍ଡକୁ ବିଭିନ୍ନ ଟ୍ରାନ୍ସପୋର୍ଟର ସୁନ୍ଦରଗଡ଼ ଅଞ୍ଚଳର ବିଭିନ୍ନ ଚାଷ ଜମି, ନଦୀ, ନାଳ ଓ ରାସ୍ତା କଡ଼ରେ ପକାଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତକାଲି ରାତିରେ ଟାଙ୍ଗରପାଲି ବ୍ଲକ୍ ଗୁଲ ଠାରେ ପାଉଁଶ ଗୁଣ୍ଡ ପକାଇବାକୁ ଉଦ୍ୟମ କରୁଥିବା ବେଳେ ୮ଟି ଟ୍ରକ୍କୁ ଭଷ୍ମା ପୁଲିସ ଧରିଛି।
ସୂଚନାଥାଉ କି, ଗତ ରାତିରେ ୧୨ଟି ପାଉଁଶ ବୋଝେଇ ଟ୍ରକ୍ ଗୁଲଠା ଠାରେ କୋଇଲା ପାଉଁଶ ଗୁଣ୍ଡ ପକାଉଥିବା ବେଳେ ଗ୍ରାମବାସୀ ସଂଗଠିତ ହୋଇ ଏହାକୁ ବିରୋଧ କରିଥିଲେ। ଘଟଣାସ୍ଥଳରେ ଦୁଇଟି ଗାଡ଼ିକୁ ଗାଁ ଲୋକେ ଅଟକ ରଖିଥିବାବେଳେ ଅନ୍ୟ ଗାଡ଼ି ଗୁଡିକ ସୁଯୋଗ ଦେଖି ଖସି ଚାଲିଯାଇଥିଲେ। ଏନେଇ ଗ୍ରାମବାସୀ ଭଷ୍ମା ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ୬ଟି ଗାଡ଼ିକୁ ଜବତ କରିଛନ୍ତି। ପୁଲିସ ଚଢ଼ଉ ଦେଖି ଟ୍ରକ୍ ଚାଳକ ଫେରାର ହୋଇଯାଇଛନ୍ତି। ବେଆଇନ ଭାବେ ପାଉଁଶ ଗୁଣ୍ଡ ପକାଯିବାକୁ ନେଇ ବିବାଦ ଲାଗିରହିଥିବା ବେଳେ ଦୁଇ ଦିନ ପୂର୍ବେ ସୁନ୍ଦରଗଡ଼ ମିଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପାଉଁଶ ଡମ୍ପିଂ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ବତନ ବିଧାୟିକା କୁସୁମ ଟେଟେ ମଧ୍ୟ ବେଆଇନ ଡମ୍ପିଂକୁ ବିରୋଧ କରିବା ସହ ଝାରସୁଗୁଡ଼ା ଜିଲ୍ଲା ଭଳି ସୁନ୍ଦରଗଡ଼ରେ ଟାସ୍କଫୋର୍ସ ଗଠନ କରି ବେଆଇନ ପାଉଁଶ ଚାଲାଣ ରୋକିବାକୁ ଦାବି କରିଥିଲେ।
ବେଆଇନ ଡମ୍ପିଂ କରୁଥିବା ୮ ଗାଡ଼ି ଜବତ
