ପର୍ଯ୍ୟଟନ ହବ୍‌ ଭାବେ ଗଢ଼ିଉଠିବ ଥୁଆମୂଳ ରାମପୁର: ପ୍ରଭାତୀ ପରିଡ଼ା

ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ପାଇଁ ମାନ୍ୟବର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୁଧବାର ଭବାନୀପାଟଣା ସର୍କିଟ୍‌ ହାଉସଠାରେ କଳାହାଣ୍ଡି ଜିଲ୍ଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ହସ୍ତାନ୍ତର କରିଛନ୍ତି। ଦାବିପତ୍ର ଅନୁଯାୟୀ, ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ, ବନାଞ୍ଚଳ, ପାହାଡ଼ିଆ ଓ ପଛୁଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ରାଜ୍ୟ ସରକାର ଏହି ସ୍ଥାନଗୁଡ଼ିକର ବିକାଶ ଓ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଦୃଷ୍ଟି ଦେଲେ, ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇପାରିବ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ଆର୍ଥିକ, ସାମାଜିକ ବିକାଶ ସହ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ଗ୍ରହଣ କରିବା ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଥୁଆମୂଳ ରାମପୁର ବ୍ଲକକୁ ଏକ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେବା ସହ ବହୁଶୀଘ୍ର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *