ବିଏମ୍‌ସି କର୍ପୋରେସନ ବୈଠକରେ ହଟ୍ଟଗୋଳ

ଭୁବନେଶ୍ୱର: ବିଏମ୍‌ସି କର୍ପୋରେସନ ବୈଠକରେ ମେୟର, କମିସନର ଓ କର୍ପୋରେଟର ମୁହାଁମୁହିଁ ହୋଇଥିବା ଖବର ମିଳିଛି l ଫଳକ ରାଜନୀତିଠାରୁ ଆରମ୍ଭ କରି ଟେଣ୍ଡର ବିଳମ୍ବ ଯାଏଁ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇଥିଲା ବୈଠକ। ଗତ ଫେବ୍ରୁଆରୀରୁ ସାନିଟେସନ୍‌ ଟେଣ୍ଡର ନେଇଥିବା ସଂସ୍ଥାର ଚୁକ୍ତି ଶେଷ ହୋଇଥିଲେ ମଧ୍ୟ ନୂଆ ଟେଣ୍ଡର ପ୍ରକ୍ରିୟା ଏଯାଏଁ ଚୂଡ଼ାନ୍ତ ହୋଇନଥିବା ଅଭିଯୋଗ ହୋଇଛି। ସେହିପରି ଆସନ୍ତା ମାସରେ ଷ୍ଟ୍ରିଟ୍‌ ଲାଇଟ୍‌ ଟେଣ୍ଡରର ଅବଧି ଶେଷ ହେବାକୁ ଥିବା ବେଳେ ନୂଆ ଟେଣ୍ଡରକୁ ନେଇ ଅନିଶ୍ଚିତତା ରହିଛି। ଗୃହ ଓ ନଗର ଉନ୍ନୟନ ବିଭାଗରେ ଏହି ପ୍ରକ୍ରିୟା ଅଟକି ରହିଥିବା କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବୈଠକ ଛାଡ଼ି ଧାରଣାରେ ବସିଥିଲେ ବିଜେଡି କର୍ପୋରେଟର। ସେପଟେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସମୟରେ ଫଳକରେ ନାମ ଲେଖାକୁ ନେଇ ବିଜେଡି ଓ ବିଜେପି କର୍ପୋରେଟରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ। କିଏ ଫଳକରେ ନାଁ ପାଇଲା, କିଏ ବାଦ୍‌ ପଡ଼ିଲା, ତାକୁ ନେଇ ବୈଠକରେ ବଢ଼ିଥିଲା ଉତ୍ତେଜନା। ଅନ୍ୟପଟେ ବୈଠକ ଚାଲିଥିବା ବେଳେ ଫେସ୍‌ବୁକ୍‌ ଲାଇଭ୍‌ କରି ବିଭିନ୍ନ ପ୍ରଶ୍ନ ଉଠାଇଥିଲେ ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ। ଏହାକୁ ନେଇ ଅନ୍ୟ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିବା ପରେ ତାଙ୍କୁ ନିଲମ୍ବନ କରିଥିଲେ ମେୟର। ତେବେ କର୍ପୋରେଟରଙ୍କୁ ନିଲମ୍ବନ କରିବାର ଅଧିକାର ମେୟରଙ୍କର ନାହିଁ ବୋଲି ପାଲ୍‌ ପ୍ରତିକ୍ରିୟା ରଖିଛନ୍ତି।ଶେଷରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ସରିଥିଲା ବିଏମ୍‌ସି କର୍ପୋରେସନ ବୈଠକ।

Leave a Reply

Your email address will not be published. Required fields are marked *