ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟର ୬ ଓ ୭ ନମ୍ବର ଲେଡିଜ୍ ହଷ୍ଟେଲରେ ଛାତ୍ରୀମାନେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ରେ ଆକ୍ରାନ୍ତ ହେବା ପରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶେଷ କରି ୭ ନମ୍ବର ହଷ୍ଟେଲର ଦୁଇଜଣ ଛାତ୍ରୀ ଜଣ୍ଡିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି। ପାନୀୟ ଜଳ ଦୂଷିତ ହେବା ଯୋଗୁଁ ଏହି ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଟିମରେ ଏପିଡେମିଓଲୋଜିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ ଓ ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ସାମିଲ ଥିଲେ। ସେମାନେ ହଷ୍ଟେଲରୁ ଜଳ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଏବଂ ଫାର୍ମାସୀ ସେବା ଆରମ୍ଭ କରାଯାଇଛି। ଛାତ୍ରୀମାନଙ୍କୁ ଦୈନିକ ୧୦୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି। ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମିଡ୍ ସେମିଷ୍ଟର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *