କଳାହାଣ୍ଡି: ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରାଙ୍କ ୯୦ ବର୍ଷ ବୟସରେ ଭବାନୀପାଟଣା ସହରସ୍ଥିତ ମହାବୀର ପଡ଼ା ଠାରେ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବରକୁ ନେଇ ରାଜନୈତିକ ଓ ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ଭବାନୀପାଟଣା ଠାରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ରହିଛି। ଜଣେ ଦକ୍ଷ ପ୍ରଶାସକ, ଜନପ୍ରିୟ ନେତା ଓ ସାହିତ୍ୟିକ ଭାବେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୯୭୭ ଓ ୧୯୮୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୦ରେ କଳାହାଣ୍ଡି ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳର ମହିଚଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାସବିହାରୀ ବେହେରା। ସେ ୧୯୮୦ ମସିହାରେ କଂଗ୍ରେସରୁ ଟିକେଟ ପାଇ କଳାହାଣ୍ଡି ଲୋକସଭା ଆସନରୁ ସପ୍ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୧୯୭୭ ଏବଂ ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ଓଡ଼ିଶା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। କେବଳ ରାଜନୀତି ନୁହେଁ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ଅନନ୍ୟ ପରିଚୟ । ଉପନ୍ୟାସ ଓ ପ୍ରବନ୍ଧ ରଚନା ସହ ମାସିକ ପତ୍ରିକା ‘ସାଗର’ର ସମ୍ପାଦନା କରୁଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା। ଏଥିସହ କଳାହାଣ୍ଡି ଲେଖକ ପରିଷଦର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପୂର୍ବତନ ମନ୍ତ୍ରୀ ତଥା ଲେଖକ ରାସବିହାରୀ ବେହେରାଙ୍କ ପରଲୋକ
