ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ମାଉସୀ ମା’ ଛକରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କୌଣସି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। କଥାକଟାକଟିରୁ ଆରମ୍ଭ ହୋଇଥିବା ଏହି ଝଗଡ଼ା କ୍ରମଶଃ ଉଗ୍ର ରୂପ ନେଇ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା। ଏହି ସଂଘର୍ଷ ଚାଲିଥିବା ସମୟରେ ହଠାତ୍ ଗୁଳିଚାଳନା ହୋଇଥିଲା। ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଦିନଦ୍ୱିପ୍ରହରରେ ଏହି ଗୁଳିକାଣ୍ଡ ଘଟିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ସଂଘର୍ଷ ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡ ପଛର ଅସଲ କାରଣ କ’ଣ, ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁ ପରିସ୍ଥିତିରେ ଏଭଳି ସଂଘର୍ଷ ଘଟିଲା, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ ଜାରି ରଖିଛି।
ଗୋଷ୍ଠୀ ସଂଘର୍ଷରୁ ମାଉସୀ ମା’ ଛକରେ ଗୁଳିକାଣ୍ଡ; ଜଣଙ୍କର ମୃତ୍ୟୁ
