ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାୱଡ଼ି ବଜାର ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। କୋଠାର ଭଙ୍ଗା ଆବର୍ଜନା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୯ଟା ୫୦ ମିନିଟ୍ରେ ଶୀଶ ମହଲ ଅଞ୍ଚଳସ୍ଥିତ ଗଳି ସତ୍ତାରା ମେଟ୍ରୋ ଷ୍ଟେସନ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୋଠାଟିରେ ନିର୍ମାଣ କାମ ଚାଲୁଥିବା ସମୟରେ ସକାଳ ପ୍ରାୟ ୧୦ଟାରେ ଏହା ହଠାତ୍ ଧରାଶାୟୀ ହୋଇପଡ଼ିଥିଲା। ଦୁର୍ଘଟଣା ସମୟରେ କୋଠା ଭିତରେ କେତେ ଜଣ ଲୋକ ଥିଲେ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୬ଟି ଗାଡ଼ି ନିୟୋଜିତ କରାଯାଇଛି। ତେବେ ଅଞ୍ଚଳଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଆବର୍ଜନା ହଟାଇବା ଓ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ପ୍ରକାଶଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ୭ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହି ଘଟଣା ପରେ ରାଜଧାନୀରେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା।
ପୁଣି ଦିଲ୍ଲୀରେ ଭୁଶୁଡ଼ିଲା ତିନି ମହଲା କୋଠା
