ଏବେ ସମସ୍ତ ସୋମବାର ଓ ଶୁକ୍ରବାର ହିଁ ହେବ ଭର୍ଚୁଆଲ ଶୁଣାଣି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଇନ୍ଧନ ସଙ୍କଟ ଆରମ୍ଭ ହେବାକୁ ଲାଗିଲାଣି । ଭାରତରେ ମଧ୍ୟ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଯୋଗାଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଦେଶର ସର୍ବୋଚ୍ଚ ଅଦାଲତ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ରେଜିଷ୍ଟ୍ରି ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖି ସପ୍ତାହର ଦୁଇଟି ମୁଖ୍ୟ ଦିନ ଅର୍ଥାତ ସୋମବାର ଏବଂ ଶୁକ୍ରବାର କୋର୍ଟରେ କେହି ବ୍ୟକ୍ତିଗତ ଭାବେ ହାଜର ହେବେ ନାହିଁ । ଏହି ଦିନଗୁଡ଼ିକରେ କେବଳ ଭିଡିଓ କନଫରେନ୍ସିଂ ବା ‘ଭର୍ଚୁଆଲ୍ ମୋଡ୍’ରେ ଶୁଣାଣି କରାଯିବ। ସମସ୍ତ ଜଜ୍ ଏବେ ‘କାର୍-ପୁଲିଂ’ (Car Pooling) କରିବାକୁ ସହମତି ପ୍ରକାଶ କରିଛନ୍ତି। ଅର୍ଥାତ, ଏକାଧିକ ବିଚାରପତି ଗୋଟିଏ ଗାଡ଼ିରେ କୋର୍ଟ ଆସିବେ, ଯାହାଦ୍ୱାରା ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଯାଇପାରିବ। ଅଦାଲତର ପ୍ରଶାସନିକ ଗାଇଡଲାଇନ ଅନୁସାରେ, ପ୍ରତ୍ୟେକ ସେକ୍ସନର ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀ ସପ୍ତାହକୁ ଦୁଇ ଦିନ ଘରୁ ରହି କାମ (WFH) କରିପାରିବେ। ବାକି କର୍ମଚାରୀମାନେ ଅଫିସରେ ଉପସ୍ଥିତ ରହିବେ ଯେପରି କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନହୁଏ। ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ଭର୍ଚୁଆଲ ଶୁଣାଣି ସମୟରେ କୌଣସି ଲିଙ୍କ୍ ବା ନେଟୱର୍କ ସମସ୍ୟା ନଉପୁଜେ। ଜରୁରୀ ପରିସ୍ଥିତିରେ ଘରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଅଫିସ ଡକାଯାଇପାରିବ।

Leave a Reply

Your email address will not be published. Required fields are marked *