ପୁରୀ: ଦୀର୍ଘ ୬ ବର୍ଷର ପ୍ରତୀକ୍ଷା ପରେ ଆଜି ସକାଳ ୭ଟା ୪୫ ମିନିଟ୍ରେ ପୁରୀର ଐତିହାସିକ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିଛି । ୨୦୨୦ ମସିହା କୋଭିଡ୍ ମହାମାରୀ ସମୟରୁ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ପାଇଁ ଐତିହାସିକ ଶ୍ରୀଗୁଣ୍ଡିଚା ମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିଥିଲା। କେବଳ ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଖୋଲା ଯାଉଥିଲା ଅନ୍ୟ ସମୟରେ ଏହା ବନ୍ଦ ରହୁଥିଲା। ଆଜି ସକାଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଜନ୍ମବେଦୀ ମଧ୍ୟକୁ ପ୍ରବେଶ କରିଛନ୍ତି। ପ୍ରତିଦିନ ସକାଳ ୬ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତଙ୍କ ପାଇଁ ମାଗଣା ଜୋତା ଏବଂ ମୋବାଇଲ୍ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି। ଏହା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍ ଏବଂ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି। ୩୦ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଭକ୍ତଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ। ଏହାପରେ ସାଧାରଣ ଭକ୍ତଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରବେଶ ସର୍ବଦା ମାଗଣା ରହିବ।
ଦୀର୍ଘ ୬ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
