ବାଇକ୍ ସୋ’ରୁମ୍‌ରେ ଅଗ୍ନିକାଣ୍ଡ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ବାଲେଶ୍ୱର: ବାଲେଶ୍ୱର ସହରର ସହଦେବଖୁଣ୍ଟା ଅଞ୍ଚଳରେ ଥିବା ଏକ ବାଇକ୍ ସୋ’ରୁମ୍‌ରେ ଆଜି ଅଗ୍ନିକାଣ୍ଡ ଘଟି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସୋ’ରୁମ୍‌‌ ଭିତରୁ ହଠାତ୍ ପ୍ରବଳ ଧୂଆଁ ବାହାରୁଥିବା ଦେଖି କର୍ମଚାରୀ ଓ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ନିରବଚ୍ଛିନ୍ନ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ସୋ’ରୁମ୍‌ରେ ରଖାଯାଇଥିବା ଏକାଧିକ ବାଇକ୍, ସ୍କୁଟି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୋ’ରୁମ୍‌ରେ ଇଲେକ୍ଟ୍ରିକ୍ ଭେହିକିଲ୍ (ଇଭି) ଏବଂ ଇଭି ଚାର୍ଜିଂ ଷ୍ଟେସନ୍ ଥିବାରୁ ସେଠାରୁ ସର୍ଟ ସର୍କିଟ୍ ସୃଷ୍ଟି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ପାଇଁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *