ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ ‘ମୁଖ୍ୟମନ୍ତ୍ରୀ ଟ୍ରଫି’ରେ ପଞ୍ଚମ କ୍ରୀଡ଼ା ଭାବେ ଯୋଡ଼ି ହେଲା କ୍ରିକେଟ:ରାଜ୍ୟର ଗ୍ରାମୀଣ କ୍ରିକେଟ ପ୍ରତିଭାଙ୍କୁ ମିଳିବ ବିଶ୍ୱସ୍ତରୀୟ ମଞ୍ଚ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ କ୍ରିକେଟ୍ ପଞ୍ଚମ କ୍ରୀଡ଼ା ଭାବେ ସାମିଲ ହୋଇଛି, ଯାହା ଆମ ୩୦ଟି ଜିଲ୍ଲାରେ ଥିବା ଗ୍ରାମୀଣ କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନର ଏକ ନୂଆ ଓ ବଡ଼ ମଞ୍ଚ ପ୍ରଦାନ କରିବ,” ବୋଲି ଆଜି କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଖେଳ ଏବେ କେବଳ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟରେ ସୀମିତ ନରହି ଏକ ସଫଳ କ୍ୟାରିୟରର ମାଧ୍ୟମ ପାଲଟିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଗୋଟିଏ ଦଶନ୍ଧି ମଧ୍ୟରେ ଭାରତର କ୍ରୀଡ଼ା ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି । ଆଜିର ଟି-୨୦ ଏବଂ ଲିଗ୍ କ୍ରିକେଟ୍ ଯୁଗରେ ଯୁବ ଖେଳାଳିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। ଏହି ଲିଗ୍‌ରେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଓଡ଼ିଶାର ‘ସ୍ୱିଙ୍ଗ ମାଷ୍ଟର’ ଦେବାଶିଷ ମହାନ୍ତି ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବାରୁ ଏହା ଯୁବ ଖେଳାଳିଙ୍କୁ ପ୍ରେରଣା ଦେବ। ରାଜ୍ୟରେ ପ୍ରତିଭା ଓ ଭିତ୍ତିଭୂମିର ଅଭାବ ନାହିଁ, ତେଣୁ ଚୟନକର୍ତ୍ତାମାନେ ସଠିକ୍ ପ୍ରତିଭାକୁ ଚିହ୍ନଟ କରି ଆଗାମୀ ଦିନରେ ଓଡ଼ିଶାରୁ ଆହୁରି ଅନେକ ଜାତୀୟ ଓ ଆଇପିଏଲ୍ ଖେଳାଳି ସୃଷ୍ଟି କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *